ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ; ତ୍ରିପୁରାରେ ୮୧.୮%

NATIONAL

ନୂଆଦିଲ୍ଲୀ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି।
ତେବେ ତ୍ରିପୁରାରେ ୮୧.୮ପ୍ରତିଶତ , ପଶ୍ଚିମବଙ୍ଗରେ ୮୧ ପ୍ରତିଶତ, ନାଗାଲାଣ୍ଡରେ ୭୮ପ୍ରତିଶତ, ମେଘାଳୟରେ ୬୬.୧୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡିଛି ।

ସେହିପରି ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ଟି ବିଧାନସଭା ଆସନ, ସିକିମର ୩୨ଟି ବିଧାନସଭା ଆସନ, ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମଧ୍ୟ ମତଦାନ ହୋଇଛି।
ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଯାକ ଲୋକସଭା ଆସନ, ତେଲଙ୍ଗାନାର ୧୭ ଟି, ଉତ୍ତରପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ, ଓଡ଼ିଶା ଓ ବିହାରର ୪ଟି ଲେଖାଏଁ ଏବଂ ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ ଓ ମେଘାଳୟର ଦୁଇଟି ଲେଖାଏଁ ଆସନ ଓ ଛତିଶଗଡ଼, ମିଜୋରାମ, ମଣିପୁର, ନାଗାଲାଣ୍ଡ, ସିକିମ୍, ତ୍ରିପୁରା, ଆଣ୍ଡାମାନ ନିକୋବର ଓ ଲାକ୍ଷ୍ୟାଦ୍ୱୀପର ଗୋଟିଏ ଲେଖାଏଁ ଆସନରେ ଗତକାଲି ମତଦାନ ହୋଇଛି।

ଆନ୍ଧ୍ରପ୍ରଦେଶରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବି. କିଶୋର ଚନ୍ଦ୍ର ଦେଓ, ପି. ଅଶୋକ ଗଜପତି ରାଜୁ, ଗଲା ଜୟଦେବ, ରାୟପତି ସମ୍ବାଶିବା ରାଓ ଓ ପନବକା ଲକ୍ଷ୍ମୀ ଅଛନ୍ତି। ସେହିଭଳି ବିଧାନସଭା ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ ରହିଛନ୍ତି। ସେହିପରି ତେଲଙ୍ଗନାରେ ପୂର୍ବତନ କେନ୍ଦମନ୍ତ୍ରୀ ରେଣୁକା ଚୌଧୁରୀ, ତେଲଙ୍ଗନା ପିସିସି ସଭାପତି ଉତ୍ତମ କୁମାର ରେଡ୍ଡୀ, ଟିଆର୍ଏସ୍ ମୁଖ୍ୟ କେସିଆର୍ଙ୍କ ଝିଅ କବିତା,ପୂର୍ବତନ ମନ୍ତ୍ରୀ ଡି.କେ. ଅରୁଣା, ଏମ୍ଆଇଏମ୍ ସଭାପତି ଅସାଦୁଦ୍ଦିନ୍ ଓୱେସି
ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦ୍, ଗୌତମ ବୁଦ୍ଧ ନଗର, ବାଘପଥ୍, ସାହାରନପୁର, ମିରଟ, ମୁଜାଫରନଗର, ବିଜନୋର୍ ଓ କୈରାନା ଲୋକସଭା ଆସନରେ ଗତକାଲି ମତଦାନ ହୋଇଛି। ତିନି ଜଣ କେନ୍ଦ୍ରମନ୍ତ୍ରୀ ବି.କେ. ସିଂହ, ସତ୍ୟପାଲ ସିଂହ ଓ ମହେଶ ଶର୍ମା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି। ସେହିପରି ଆର୍ଏଲ୍ଡି ମୁଖ୍ୟ ଅଜିତ ସିଂହ, ବିଜେପି ନେତା ସଞ୍ଜୀବ ବଲିଆଁ, କଂଗ୍ରେସ ନେତା ଇମ୍ରାନ୍ ମସୁଦ୍ ଓ ସମାଜବାଦୀ ପାର୍ଟିର ତବସୁମ୍ ବେଗମ୍ ମଧ୍ୟ ରହିଛନ୍ତି।

ବିହାରର ନକ୍ସଲ ଉପଦ୍ରୁତ ଗୟା, ନୱାଦା, ଜାମୁଇ ଓ ଔରଙ୍ଗାବାଦ୍ ଲୋକସଭା ଆସନରେ ମଧ୍ୟ ଗତକାଲି ମତଦାନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ମୁଖ୍ୟ ଜୀତନ ରାମ ମାନ୍ଝୀ ଓ ଏଲଜେପି ନେତା ଚିରାଗ୍ ପାଶୱାନ୍ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି। ସେହିପରି ମହାରାଷ୍ଟ୍ରର ନାଗପୁର ଆସନରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କ ବିପକ୍ଷରେ ପୂର୍ବତନ ବିଜେପି ଏମ୍.ପି. ନାନା ପାଟୋଲେ କଂଗ୍ରେସରୁ ଲଢ଼ୁଛନ୍ତି। ଚନ୍ଦ୍ରପୁର ଲୋକସଭା ଆସନରେ ଶିବସେନା ବିଦ୍ରୋହୀ ବିଧାୟକ ସୁରେଶ ଧାନୋର୍କର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିରଙ୍କ ବିପକ୍ଷରେ ଲଢ଼ୁଛନ୍ତି।

ଛତିଶଗଡ଼ରେ ମାଓ ଉପଦ୍ରୁତ ବସ୍ତର ନିର୍ବାଚନ ମଣ୍ଡଳୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି। ବସ୍ତରର ଚାରୋଟି ଯାକ ମାଓ ଉପଦ୍ରୁତ ନିର୍ବାଚନ ମଣ୍ଡଳୀ – ଦାନ୍ତେୱାଡ଼ା, ବିଜାପୁର, ନାରାୟଣପୁର ଓ କୋଣ୍ଟାରେ ମଧ୍ୟ ମତଦାନ ଶେଷ ହୋଇଛି। ସେହିପରି ସିକିମର ୩୨ଟି ଯାକ ବିଧାନସଭା ଆସନ ଓ ଏକମାତ୍ର ଲୋକସଭା ଆସନରେ ଶାନ୍ତିପୂର୍ଣ୍ଣ ଭାବେ ମଧ୍ୟ ମତଦାନ ଶେଷ ହୋଇଛି।

Please follow and like us:
error