ଆଜିଠୁ ଯୁକ୍ତଦୁଇ ପରୀକ୍ଷା

STATE

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା ଥିବା ବେଳେ ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ୍ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ୨ ପରୀକ୍ଷା ସମୟରେ ଯେମିତି ସେଭଳି ଘଟଣା ନ ହୁଏ ସେଥିପାଇଁ ପରୀକ୍ଷା ହଲକୁ ମୋବାଇଲ୍ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍ ସହ ଜରିମାନା ମଧ୍ୟ ହୋଇପାରେ।

ଚଳିତବର୍ଷ ୧୫୫୬ଟି ଜୁନିଅର କଲେଜର ୩ଲକ୍ଷ ୬୯ହଜାର ୫୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି। କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୩୫ ହଜାର ୧୮୩ଜଣ, ବିଜ୍ଞାନରେ ୯୯ହଜାର ୧୮ଜଣ, ବାଣିଜ୍ୟରେ ୨୭ ହଜାର ୨୭୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ୨୦୨ଟି ହବ୍ ହୋଇଛି। ସମସ୍ତ ହବରେ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ସହ ପୁଲିସ ମୁତୟନ କରାଯାଇଛି।

ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ହବ୍ରୁ ପ୍ରଶ୍ନପତ୍ର ବାହାରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ବୁଧବାର ସନ୍ଧ୍ୟା ସୁଦ୍ଧା ୯୫୧ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ଆଉ ପ୍ରାୟ ୧୫୦ କେନ୍ଦ୍ରରେ ଭିତ୍ତିଭୂମି ଅଭାବରୁ ସିସିଟିଭି ଲାଗିପାରିନି। ଯେଉଁଠି ସିସିଟିଭି ଲାଗିନି ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯାଇଛି। ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସଂଖ୍ୟକ ସ୍କ୍ବାଡ୍ ପଠାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ସମ୍ପର୍କିତ ସୂଚନା ତଥା ଅଭିଯୋଗ ଲାଗି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍(ନମ୍ବର ୦୬୭୪-୨୩୦୩୮୦୩ ଏବଂ ୦୬୭୪-୨୩୦୦୦୯୯) ଖୋଲାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀ କିମ୍ବା ଅଭିଭାବକଙ୍କର କିଛି ସମସ୍ୟା ଥିବ ସେମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ, ଜୋନାଲ୍ ଓ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗଠନ ହୋଇଛି। ଏହି ସ୍କ୍ବାଡ୍ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ଅଚାନକ ଚଢ଼ଉ କରିବେ। ହବ୍ରୁ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଅଧ୍ୟାପକମାନଙ୍କୁ ବି ସ୍କ୍ବାଡ୍ ଭାବେ ନିୟୋଜିତ କରାଯିବ। ସେମାନେ ସେଠାରେ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯେପରି ମୋବାଇଲ୍, ସ୍ମାର୍ଟ ଘଣ୍ଟା, କ୍ୟାମେରା ପେନ୍ ଏବଂ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇ ନଯିବେ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରାଯିବ। ନିରୀକ୍ଷକମାନେ ବି ପରୀକ୍ଷା ହବକୁ ମୋବାଇଲ୍ ନେଇପାରିବେନି। ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ କେବଳ ମୋବାଇଲ୍ ବ୍ୟବହାର କରିବେ। ସମସ୍ତ ନିରୀକ୍ଷକ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍ ସୁଇଚ୍ ଅଫ୍ କରି ଦାଖଲ କରିବେ। ସୁପରିଣ୍ଟେଣ୍ଡେଣ୍ଟ୍ ଏହା ନିଶ୍ଚିତ କରିବା ପରେ ନିରୀକ୍ଷକଙ୍କୁ ପରୀକ୍ଷା ହଲ୍କୁ ଛଡ଼ାଯିବ। କର୍ମଚାରୀମାନେ ବି କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍ ଦାଖଲ କରିବାକୁ କୁହାଯାଇଛି। ଅଧ୍ୟାପିକାମାନେ ହିଁ କେବଳ ଛାତ୍ରୀଙ୍କୁ ଯାଞ୍ଚ କରିବେ। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

Please follow and like us: