ଆଇପିଏଲ : କୋହଲିଙ୍କ ଶତକ ବଳରେ ଆରସିବିର ୨ୟ ବିଜୟ

SPORTS

କୋଲ୍କାତା: ବିରାଟ କୋହଲିଙ୍କ ୫୭ ବଲ୍ ଶତକ ବଳରେ ଆଇପିଏଲ ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୦ ରନରେ କୋଲକୋତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଆନ୍ଦ୍ରେ ରସେଲ, ନୀତିଶ ରାଣାଙ୍କ ଛକା ବର୍ଷା ଅର୍ଦ୍ଧଶତକ ସତ୍ତ୍ବେ କେକେଆରକୁ ଲଗାତାର ଚତୁର୍ଥ ପରାଜୟ ବରଣ କରିବାକୁ ପଡ଼ିଛି। ଉଭୟ ଦଳର ପ୍ରଥମ ମୁକାବିଲାରେ ବାଙ୍ଗାଲୋର୍ ୨୦୫ ରନ୍ କରିଥିଲେ ମଧ୍ୟ ଆନ୍ଦ୍ରେ ରସେଲଙ୍କ ୧୩ ବଲ୍ ୪୮ଞ୍ଚ ରନ୍ ପାଇଁ ହାରିଥିଲା। କୋହଲି-ମୋଇନଙ୍କ ପାଳି ପାଇଁ କିନ୍ତୁ ବାଙ୍ଗାଲୋର୍ ଏହାର ପ୍ରତିଶୋଧ ନେଇଯାଇଥିଲା। ଶୁକ୍ରବାରର ଏହି ମ୍ୟାଚର ଉଭୟ ପାଳିରେ ମୋଟ ୨୬ ଛକା ଏବଂ ୩୫ ଚୌକା ନଜରକୁ ଆସିଥିଲା। ପୂର୍ବରୁ ବିରାଟ କୋହଲି (୧୦୦, ୫୮ ବଲ୍, ୯ ଚୌକା, ୪ ଛକା)ଙ୍କ ଶତକ ସାଙ୍ଗକୁ ମୋଇନ ଅଲ୍ଲୀ (୬୬, ୨୮ ବଲ୍, ୫ ଚୌକା, ୬ ଛକା)ଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୪ ୱିକେଟ୍ ହରାଇ ୨୧୩ ରନ୍ କରିଥିଲା।

ତୃତୀୟ ୱିକେଟରେ କୋହଲି ଓ ମୋଇନଙ୍କ ୯୦ ରନର ଭାଗୀଦାରି ବାଙ୍ଗଲୋରକୁ ୨୦୦ ରନ୍ ଟପିବାର ସହଯୋଗ କରିଥିଲା। ୧୬ତମ ଓଭରରେ ମୋଇନ୍ (୪, ୬, ୪, ୬, ୧ୱାଇଡ୍, ୬) ମୋଟ ୨୭ ରନ୍ ସଂଗ୍ରହ କରିଥିଲେ। ଏହି ଓଭରର ଶେଷ ବଲରେ କୁଲଦୀପ ତାଙ୍କୁ ପ୍ରସିଦ୍ଧ କୃଷ୍ଣଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନର ବାଟ ଦେଖାଇଥିଲେ। ଏହାପରେ କୋହଲିଙ୍କ ସହ ମାର୍କସ ଷ୍ଟୋଇନିସ୍ (୧୭ଞ୍ଚ, ୮ ବଲ୍, ୨ ଚୌକା, ୧ ଛକା) ମିଶି ଦଳୀୟ ସ୍କୋର୍ ୨୦୦ ଡିଆଁଇଥିଲେ। କୋହଲି ୨୦ତମ ଓଭରର ପଞ୍ଚମ ବଲରେ ଚୌକା ମାରି ଚଳିତ ଆଇପିଏଲ୍ର ପ୍ରଥମ ଏବଂ ଜୀବନର ପଞ୍ଚମ ଆଇପିଏଲ୍ ଶତକ ପୂର୍ଣ୍ଣ କରିଥିଲେ। ହେଲେ ଏହାର ପର ବଲରେ ସେ ହାରି ଗୁର୍ଣ୍ଣିଙ୍କ ବଲରେ ଶୁଭମ ଗିଲଙ୍କ ହାତରେ ଧରାପଡ଼ି ପାଭିଲିୟନ ଫେରିଥିଲେ। ଶେଷ ୬ ଓଭରରେ ବାଙ୍ଗାଲୋର୍ ୧୦୩ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା।

ଗୁର୍ଣ୍ଣିଙ୍କୁ ଦ୍ବିତୀୟ ଶେଷ ବଲରେ ଚୌକା ମାରି କୋହଲି ଶତକ ହାସଲ କରିଥିଲେ। ଶେଷ ବଲରେ କିନ୍ତୁ ସେ ଆଉଟ୍ ହୋଇଯାଇଥିଲେ। ଏହା ପୂର୍ବରୁ ସେ ୪୦ ବଲରୁ ୫୦ ରନ୍ କରିଥିଲେ ମଧ୍ୟ ପରବର୍ତ୍ତୀ ୧୭ ବଲରୁ ଦ୍ବିତୀୟ ୫୦ ରନ୍ କରିଥିଲେ। ବାଙ୍ଗାଲୋରର ୨୧୩ ରନକୁ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସ ୫ ଓଭର ବେଳକୁ ୩୩ ରନରେ ୩ ୱିକେଟ୍ ହରାଇ ଦେଇଥିଲା। ତେବେ ନୀତିଶ ରାଣା ୩୩ ବଲରୁ ଏବଂ ଆନ୍ଦ୍ରେ ରସେଲ ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିବାରୁ କୋଲକାତା ଶେଷ ପର୍ଯ୍ୟନ୍ତ ମ୍ୟାଚକୁ ରୋମାଞ୍ଚକ ସ୍ଥିତିରେ ରଖିଥିଲା। ଶେଷ ଓଭରରୁ କୋଲକାତାକୁ ୨୪ ରନ୍ ଆବଶ୍ୟକ ପଡ଼ିଥିଲା। ମୋଇନ୍ ଅଲୀ କିନ୍ତୁ ୧୩ ରନ୍ ବ୍ୟୟ କରିଥିଲେ। ରସେଲ (୬୫, ୨୫ ବଲ୍, ୨ ଚୌକା, ୯ ଛକା) ଏବଂ ରାଣା (୮୫ଞ୍ଚ, ୪୬ ବଲ୍, ୯ ଚୌକା, ୪ ଛକା)ଙ୍କ ପ୍ରୟାସ ବେକାର ଯାଇଥିଲା। କେକେଆର୍ ପାଳି ୨୦୩/୫ରେ ସୀମିତ ରହିଥିଲା।

Please follow and like us:
error