ନିଲମ୍ବିତ ହେଲେ ନାବାଳିକାଙ୍କୁ ଶ୍ରୀମନ୍ଦିର ଭିତରେ ଅସଦାଚରଣ କରିଥିବା କନେଷ୍ଟବଳ

STATE

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକାକୁ ପୁଲିସ୍ କନେଷ୍ଟବଳ ଅସଦାଚରଣ କରିଛନ୍ତି। ପୁଲିସର ଏହି କାରନାମା ଏତିକିରେ ସରିନି। ଜଣେ ହାବିଲଦାର ନିଶା ଖାଇ ମନ୍ଦିର ଭିତରେ ଡ୍ୟୁଟି କରିବା ଘଟଣା ପଦାକୁ ଆସିଛି। ଏହି ଦୁଇଟି ଘଟଣା ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗତକାଲି ପୁରୀ ଏସ୍ପି ଉଭୟଙ୍କୁ ନିଲମ୍ବିତ କରିଛନ୍ତି। ଅସଦାଚରଣ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିଲମ୍ବନ ହେବାର କିଛି ଘଣ୍ଟା ପରେ ଅସଦାଚରଣ କରିଥିବା କନେଷ୍ଟବଳ ଛୁକେଶ ମେହେର ପୋକ୍ସୋ ଆଇନରେ ଗିରଫ ହୋଇଛନ୍ତି ବୋଲି ଏସ୍ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ରାତିରେ ସୂଚନା ଦେଇଛନ୍ତି।

ଶନିବାର ପୂର୍ବାହ୍ନରେ ଯାଜପୁରରୋଡ୍ ଅଞ୍ଚଳର ଏକ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ। ବାହାର କାଠ ନିକଟରେ ସେମାନେ ଦର୍ଶନ ପାଇଁ ଯିବା ବେଳେ ସେଠାରେ ଡ୍ୟୁଟି କରୁଥିବା କନେଷ୍ଟବଳ ଛୁକେଶ ମେହେର ଭିଡ଼ ଭିତରେ ଉକ୍ତ ନାବାଳିକାଙ୍କୁ ଠେଲି ଦେବା ସହ ଅସଦାଚରଣ କରିଥିଲେ। ତେବେ ନାବାଳିକା ଜଣକ କନଷ୍ଟେବଳଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ତାଙ୍କୁ ସେଠାରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଘଟଣାସ୍ଥଳରେ ନାବାଳିକା ଜଣକ କାନ୍ଦିଥିଲେ। ଏ ନେଇ ପରିବାର ଲୋକ ସିଂହଦ୍ବାର ଥାନାରେ ଏତଲା ଦେଇଥିଲେ। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ତୁରନ୍ତ ମାମଲା ରୁଜୁ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ପରେ ନାବାଳିକା ଜଣକ ଅଭିଯୁକ୍ତ କନେଷ୍ଟବଳଙ୍କୁ ଚିହ୍ନଟ କରିଥିଲେ। ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ କନେଷ୍ଟବଳଙ୍କୁ ଏସ୍ପି କାର୍ୟ୍ୟରୁ ନିଲମ୍ବିତ କରିଥିଲେ। ଓଏସ୍ଏପି ନବମ ବାଟାଲିୟନର କନେଷ୍ଟବଳ ଶ୍ରୀ ମେହେର ନୂଆ ବର୍ଷ ଡ୍ୟୁଟି ପାଇଁ କୋରାପୁଟରୁ ପୁରୀ ଆସିଥିଲେ। ତାଙ୍କ ଘର କଳାହାଣ୍ଡିରେ।

Please follow and like us: