କାଶ୍ମୀର ବିଷୟ ନେଇ ମଧ୍ୟସ୍ଥି ସାଜିବ ଆମେରିକା!

INTERNATIONAL

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦର ମୂଳ କାରଣ ହେଉଛି ପାକିସ୍ତାନ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହୁଛି । ତେବେ ଏହାର ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ ବୋଲି ପ୍ରକାଶ କରିଛି ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ ସଂବାଦ ପତ୍ର । ସେ ତାର ରିପୋର୍ଟରେ ଉଲ୍ଲେଖକରିଛି ଯେ କାଶ୍ମୀର ପ୍ରସଙ୍ଗକୁ ନେଇ ଭବିଷ୍ୟତରେ ଏକ ଆଣବିକ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି । ଏ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ଆପେକ୍ଷିକ ନୀରବତା ଏକ ସମାଧାନ ନୁହେଁ । ଯଦିଓ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସାମୟିକ ଭାବେ ପ୍ରଶମିତ ରହିହି, ତଥାପି ଦୁଇ ଦେଶ ମଧ୍ୟରେ ଯେ କୌଣସି ସମୟରେ ଆଣବିକ ଯୁଦ୍ଧାସ୍ତ୍ର ଅକଳ୍ପନୀୟ ପରିଣତି ଜନ୍ମ ଦେଇପାରେ ।

ଏଭଳି ପରିସ୍ଥିତିରେ ଆମେରିକାର ହସ୍ତକ୍ଷେପ ଆବଶ୍ୟକ ବୋଲି ମତ ଦେଇଛି ନ୍ୟୁୟର୍କ ଟାଇମ୍ସ । ଆଗକୁ ଦୁଇ ପଡୋଶୀ ମୁହାଁମୁହିଁ ହେଲେ ସ୍ଥିତି ସହଜରେ ଶାନ୍ତ ହେବ ନାହିଁ ବୋଲି ଭବିଷ୍ୟବାଣୀ କରିବା ସହିତ ଭାରତ ସହିତ ଲଢେଇ ଚାହୁଁଥିବା ପାକିସ୍ତାନୀ ସେନାକୁ ଶାନ୍ତ କରାଇ ଇମ୍ରାନ ମାର୍ଚ୍ଚ ୧ରେ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେଇ ଶାନ୍ତି ଦିଗରେ ଏକ ପଦକ୍ଷେପ ନେଇଥିବା କହି ପାକିସ୍ତାନଙ୍କୁ ପ୍ରଶଂସା କରିଛି । ନ୍ୟୁୟର୍କ ଟାଇମ୍ସ ଇମ୍ରାନ ଖାନ ଭାରତକୁ ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମାଗିଥିବା ପ୍ରମାଣ ନେଇ ଭାରତର ନୀରବତାକୁ ସମାଲୋଚନା କରି ମୋଦୀ ଆଗାମୀ ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରିବା ଲାଗି ପାକିସ୍ତାନ ବିରୋଧୀ ମନ୍ତବ୍ୟ ଦେଇ ହିନ୍ଦୁ ଜାତୀୟତାବାଦକୁ ଇନ୍ଧନ ଯୋଗାଉଛନ୍ତି ବୋଲି ଉଲ୍ଲେଖ କରିଛି ।

ବିଗତ ୭୦ ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ ୩ଟି ଯୁଦ୍ଧ ଲଢି ସାରିଛନ୍ତି ଦର୍ଶାଇ ଉଭୟ ଦେଶ ନିଜର ବିବାଦ ଭୁଲିବାକୁ ନିଷ୍ପତ୍ତି ନେଲେ ଆମେରିକା ଦୁଇ ପରସ୍ପର ବିରୋଧୀ ପଡୋଶୀ ଦେଶକୁ ସହଯୋଗର ହାତ ବଢାଇବ ବୋଲି ପ୍ରକାଶ କରିଛି ନ୍ୟୁୟର୍କ ଟାଇମ୍ସ । ରିପୋର୍ଟରେ ପୁଣି ଉଲ୍ଲେଖ ରହିଛି ଯେ ଆମେରିକା କାଶ୍ମୀର ପ୍ରସଙ୍ଗରେ ଭାରତକୁ ନିଜ ଅଭିମୁଖ୍ୟରେ ପରିବର୍ତ୍ତନ ନିମନ୍ତେ ପ୍ରୋତ୍ସାହିତ କରିପାରେ । ଏହା ବ୍ୟତୀତ ଭାରତର ଆତଙ୍କବାଦ ନିରୋଧୀ ଦକ୍ଷତା ବୃଦ୍ଧିରେ ଆମେରିକା ସହାୟକ ବୋଇପାରିବ ଯଦ୍ୱାରା ଭାରତ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ହୋଇପାରିବ । ଜାତିସଂଘ ଓ ଅନ୍ୟ ସଂଗଠନଗୁଡିକ ପକ୍ଷରୁ ଉଠାଯାଉଥିବା ବିଭିନ୍ନ ଆପତ୍ତି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ଚାପ ନହେଲେ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ବାହାରିବା ଆଶା କ୍ଷୀଣ ଓ ଆଣବିକ ଯୁଦ୍ଧର ଆଶଙ୍କା ଅଧିକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Please follow and like us: