କାର୍ତ୍ତିକ ମାସ ପରେ ଆନନ୍ଦ ବଜାର କୁ ସୁବ୍ୟବସ୍ଥିତ କରାଯିବା ନେଇ ଯୋଜନା

STATE

ପୁରୀ : ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବାରୁ ମହାପ୍ରସାଦର ଦର ଏବେ ନିର୍ଦ୍ଧାରଣ କରାଯିବ ନାହିଁ ବୋଲି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ  ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ନିମନ୍ତେ ଶେଡ ନିର୍ମାଣ କରାଯିବ । ତାପରେ ମହାପ୍ରସାଦ ଦର ନିର୍ଦ୍ଧାରଣ କରାଯାଇ ଦର ତାଲିକା ଭକ୍ତଙ୍କ ଅବଗତି ନିମନ୍ତେ ଝୁଲାଯିବ । ପୂର୍ବରୁ ସ୍ଥିର କରାଯାଇଥିଲା ଯେ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ପ୍ରଶାସନ ରନ୍ଧନ ପାତ୍ର(କୁଡୁଆ ଆଦି) ସହିତ ସମସ୍ତ ରନ୍ଧନ ସାମଗ୍ରୀ ଓ ପରିବା ପତ୍ର ଯୋଗାଇ ଦେବ । କେତେ ଖର୍ଚ୍ଚ ହେଉଛି ତାହା ଅନୁଧ୍ୟାନ ପୂର୍ବକ ଦର ନିର୍ଦ୍ଧାରଣ କରାଯିବ ।

ବୈଠକରେ ମଧ୍ୟ ହବିଷ୍ୟାଳିମାନେ ବିଳମ୍ବରେ ମହାପ୍ରସାଦ ପାଉଥିବା ନେଇ ଆଲୋଚନା କରା ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଭୋଗରେ ହବିଷ୍ୟାଳିଙ୍କ ନିମନ୍ତେ ମହାପ୍ରସାଦ ଯୋଗାଇଦେବାକୁ ସ୍ଥିର କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ସୁଆର ମହାସୁଆର ନିଯୋଗକୁ,ପ୍ରଶାସନ ତରଫରୁ ହବିଷ୍ୟାଳିଙ୍କ ନିମନ୍ତେ ମହାପ୍ରସାଦ ପ୍ରଥମ ଭୋଗରେ ବାହାର କରିବାକୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ମହାପ୍ରସାଦ ବାହାରିବା ପରେ ଆଶ୍ରୟସ୍ଥଳୀକୁ ଟ୍ରଲିରେ ଯାଉଥିବା ଯୋଗୁ ହେଉଥିବା ବିଳମ୍ବକୁ ଏଡାଇବା ନିମନ୍ତେ ଗାଡି ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଫଳରେ ଚାହିଦା ଦୃଷ୍ଟିରୁ  ଅଧିକ ପରିମାଣର ମହାପ୍ରସାଦ ବାହାରୁଛି। ସନ୍ଧ୍ୟା ୬ଟାରେ ଉତ୍ତର ଦ୍ୱାର ବନ୍ଦ ହୋଇଯାଉଥିବାରୁ  ସମସ୍ୟା ଦେଖାଦେଉଛି। ଏହାକୁ ଲକ୍ଷ୍ୟ ରଖି  କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଏହି ଦ୍ୱାର ରାତି ସାଢେ ୯ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ନିଷ୍ପତ୍ତି ନିଆଗଲା ଯେ ଶ୍ରୀମନ୍ଦିରରେ ବର୍ତ୍ତମାନ ଯେଉଁପରି ଦର୍ଶନ ବ୍ୟବସ୍ଥା ଚାଲିଛି ତାହା ଅପରିବର୍ତ୍ତିତ ରହିବ। ବର୍ତ୍ତମାନ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଅନ୍ୟ ଦ୍ୱାର ଦେଇ ବାହାରୁଛନ୍ତି। ପୁରୀବାସୀ ଚାରିଦ୍ୱାର ଦେଇ ଯାଇପାରିବେ, କିନ୍ତୁ ସେମାନଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ। ପୂର୍ବ ନିଷ୍ପତ୍ତି ଅନୁସାରେ ଭିଡକୁ ଏଡାଇବା ଓ ହବିଷ୍ୟାଳିଙ୍କି ସୁବିଧା ଦୃଷ୍ଟିରୁ ହବିଷିଆଳିମାନେ ସବୁ ଦ୍ୱାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିବେ। ସୂଚନା ଯୋଗ୍ୟ ଯେ  ବର୍ତ୍ତମାନ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ପ୍ରାୟ ନାହିଁ । ଏହା ଏକ ପ୍ରକାର ଅଚଳ ହୋଇପଡିଛି । ତେବେ ବର୍ତ୍ତମାନ ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ ।

ଅନ୍ୟପକ୍ଷରେ ପୁରୀ ହିଂସା ନେଇ ପୋଲିସର ଗିରଫଦାରି ସଂଖ୍ୟା ବଢିବାରେ ଲାଗିଛି।  ସିଂହଦ୍ଵାର ଥାନାରେ ରୁଜୁ ହୋଇଥିବା ମାମଲାରେ ୫୭ ଓ ଟାଉନ ଥାନାରେ ରୁଜୁ ହୋଇଥିବା ମାମଲାରେ ୫୧ ଜଣ ଗିରଫ ହେବା ଫଳରେ  ଗିରଫ ସଂଖ୍ୟା ୧୦୮ରେ ପହଞ୍ଚିଛି । ପୁରୀ ହିଂସା ଘଟଣାରେ ୧୦୮ ଗିରଫଙ୍କ ମଧ୍ୟରେ ଜଣେ ଆଇନଜୀବୀ ଥିବାର ଜଣାପଡିଛି । ଏନେଇ ଏକ ବୈଠକ ମଧ୍ୟ ବସିଥିଲା ଯେଉଁଥିରେ କି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ପରିଚାଳନା କମିଟି ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ମାଧବ ମହାପାତ୍ର, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସମହାପାତ୍ର ଓ ସିଦ୍ଧେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Please follow and like us: