ଷଷ୍ଠ ଦିନରେ ବରଗଡର ଧନୁଯାତ୍ରା ରେ ଦେଖିବାକୁ ମିଳିଲା ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ

MYTHOLOGY STATE

ବରଗଡ : ବରଗଡ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ମିଳିଛି । ଗୋପାଙ୍ଗନାମାନଙ୍କ ବସ୍ତ୍ର ହରଣ ତଥା ମା’ ଯଶୋଦାଙ୍କ ହାତରେ ଦଧି ଖାଉଥିବା ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲା । ଅନ୍ୟପଟେ ଗୋପପୁରରେ ମହାରାଜ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସଙ୍କ ନିଧନ ପରେ ମହାରାଜ କଂସ ହୋଇପଡିଛନ୍ତି ମର୍ମାହତ । ଯାହାକୁ ନେଇ ପଡୋଶୀ ରାଜନ୍ୟ ବର୍ଗଙ୍କ ସହେଯାଗ ଲୋଡିଛନ୍ତି । ସେହିପରି ମଥୁରା ନଗରୀରେ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ମଥୁରା ନଗର ଭ୍ରମଣ ସହ ଦିଗବିଜୟ ଯାତ୍ରା ଓ ମଥୁରା ନଗରୀରେ କାର୍ୟ୍ୟରତ ଅଧିକାରୀମାନଙ୍କ ରାଜସଭାରେ ତାଗିତ କରିବା ଦୃଶ୍ୟ ଦର୍ଶକମାନଙ୍କୁ ବେଶ ଆକର୍ଷଣ କରିଛି ।

ଧୀରେ ଧୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ସମଗ୍ର ଗୋପପୁରରେ ଆଉ ଛପି ରହି ନଥିବାବେଳେ ଏବେ ଗୋପପୁରରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଧନୁଯାତ୍ରାର ଷଷ୍ଠ ଦିନରେ । ଗୋପୀମାନଙ୍କ ଦହି ବିକା ସହ ସାରା ଗୋପପୁର ଉତ୍ସବ ମୁଖରିତ ହୋଇପଡିଥିବାବେଳେ କୃଷ୍ଣ ବଳରାମଙ୍କ ପ୍ରତିଦିନ ନୂଆ ନୂଆ ଅଲୌକିକ ଶକ୍ତି ବିଷୟ ପରିପ୍ରକାଶ ପାଉଛି । ଏପରି ସମୟରେ କୃଷ୍ଣ ତଥା ଗୋପାଳ ବାଳକଙ୍କ ଦୃଷ୍ଟାମୀ ଗୋପପୁରରେ ବଢିବାକୁ ଲାଗିଛି। ଠିକ ସେହିପରି ଷଷ୍ଠ ଦିନରେ ଯମୁନା ନଦୀରେ ଗାଧୋଉଥିବା ରାଧା ଏବଂ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରି କରିନେଇଛନ୍ତି ନଟଖଟିଆ କାହ୍ନା । ଆଉ ବହୁତ କାକୁତି ମିନତି ପରେ ଗୋପାଙ୍ଗନା ମାନଙ୍କୁ ବସ୍ତ୍ର ଫେରେଇଛନ୍ତି ଭଗବାନ ଶ୍ରୀକୃଷ୍ଣ । ତେବେ ଦର୍ଶକମାନେ ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ ଦୃଶ୍ୟ ଉପଭୋଗ କରି ଦ୍ୱାପର ଯୁଗର ଗୋପପୁରକୁ ମନେ ପକାଇବା ସହ କୃଷ୍ଣ ରସରେ ମଜ୍ଜି ଯାଇଥିଲେ ।

Please follow and like us: