ମଧ୍ୟପ୍ରଦେଶରେ ବିଜେପି ନେତାଙ୍କୁ ହତ୍ୟା

CRIME

ଭୋପାଲ : ମଧ୍ୟପ୍ରଦେଶରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ମୃତ ବିଜେପି ନେତା ହେଲେ ମନୋଜ ଠାକରେ । ତାଙ୍କ ମୃତଦେହ ବଲବାଡ଼ି- ସେଂଢ଼ୱା ରାସ୍ତାରୁ ମିଳିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ମଧ୍ୟରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଏହା ପୂର୍ବରୁ ମନ୍ଦସଉରରେ ବରିଷ୍ଠ ବିଜେପି ନେତା ତଥା ନଗର ପାଳିକା ଅଧ୍ୟକ୍ଷ ପ୍ରହ୍ଲାଦ ବନ୍ଦବାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗତ ୪ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ୨ଜଣ ବିଜେପି ନେତାଙ୍କୁ ହତ୍ୟା କରାଯିବା ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇପାରେ ।

ବିଜେପି ନେତାଙ୍କୁ ହତ୍ୟା ପରେ ମର୍ମାହତ ହୋଇ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି ଯେ, କଂଗ୍ରେସ ପରିବର୍ତ୍ତନର କଥା କହୁଛି । ଏଇଟା କଣ ପରିବର୍ତ୍ତନ ? ରାଜ୍ୟରେ ଗୋଟିଏ ପରେ ଗୋଟିଏ ନେତାଙ୍କୁ ହତ୍ୟା କରାଯାଉଛି। ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଏବଂ ବ୍ୟବସ୍ଥା ସମ୍ପୂର୍ଣ ଢିଲା ହୋଇଯାଇଛି । ତେବେ ବିଜେପି ନେତାଙ୍କ ହତ୍ୟା ପଛରେ ଏକ ବଡ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବ ଦରକାର ବୋଲି ଶିବରାଜ କହିଛନ୍ତି । ଏଭଳି ହତ୍ୟାକାଣ୍ଡରେ ରୋକ ଲଗାଇବା ପାଇଁ ସେ ସରକାରଙ୍କୁ କହିଛନ୍ତି । ନଚେତ ବିଜେପି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମନୋଜ ଠାକରେ ସକାଳୁ ମର୍ନିଙ୍ଗୱାକ ପାଇଁ ଯାଇଥିଲେ । ସେତେବେଳେ ତାଙ୍କୁ ହତ୍ୟା କରାଯାଇଛି। ମୃତଦେହ ପାଖରେ ପଥର ପଡିଥିବା ପୋଲିସ କହିଛି । ସେହି ପଥରରେ ଛେଚି ମନୋଜଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Please follow and like us:
error