ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତି ଖବର , ‘ବୁଲବୁଲ’ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ

STATE

ଭୁବନେଶ୍ଵର : ବାତ୍ୟା ଫନିର କରୁଣ ଦୃଶ୍ୟ ମନରୁ ନ ଲିଭିଣୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ବାତ୍ୟା ‘ବୁଲବୁଲ’ ଓଡ଼ିଶାବାସୀଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ଆଶ୍ଵସ୍ତିର ବିଷୟ ଏହା ଯେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଏହି ବାତ୍ୟା ନଜରରୁ ଓଡ଼ିଶା ହଟିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସନ୍ଧ୍ୟା ୫ଟା ୩୫ରେ ଜାରି ସଦ୍ୟତମ ବୁଲେଟିନରେ ଓଡ଼ିଶାର ନା ନାହିଁ। ବାତ୍ୟା ସଂପ୍ରତି ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯାଉଥିବା ଆଇଏମଡି ରିପୋର୍ଟରୁ ପ୍ରକାଶ ପାଇଛି। ସଦ୍ୟତମ ବୁଲେଟିନରେ ଓଡ଼ିଶା ନାଁ କଟିଥିବାରୁ ବାତ୍ୟା ଭୟ ଦୂର ହୋଇଥିବା ଆଶା କରାଯାଉଛି। ପୂର୍ବ ବୁଲେଟିନରେ ବାତ୍ୟା ବୁଲବୁଲରେ ପଶ୍ଚିମବଙ୍ଗ, ବାଂଲାଦେଶ ସହ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପାରାଦ୍ୱୀପଠାରୁ ୮୦୦ କିମି ଦୂରରେ ଗଭୀର ଅବପାତରେ ପରିଣତ ହୋଇଥିବା ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଛନ୍ତି। ୭ ତାରିଖ ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଓ ୮ ତାରିଖରେ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଆଇଏମଡିର ସଦ୍ୟତମ ବୁଲେଟିନରୁ ଜଣା ପଡ଼ିଛି। ଯାହା ନିଶ୍ଚିତ ରୂପେ ଓଡ଼ିଶା ଚାଷୀକୂଳ ପ୍ରତି ଆଶ୍ଵସ୍ତିକର କଥା।

ସାମୁଦ୍ରିକ ଝଡ଼ ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରିବା ସହିତ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ମୁହାଁଉଛି। ଘୁର୍ଣ୍ଣିଝଡ଼ ବୁଲବୁଲ ଅବପାତରେ ପରିଣତ ହୋଇ ସାରିଛି। ଆସନ୍ତା ୭ ତାରିଖରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିମ ବଢିବ। ଅପରାହ୍ନ ସୁଦ୍ଧା ପବନର ବେଗ ୧୩୫ କିମିକୁ ବଢିବାର ସମ୍ଭାବନା ରହିଛି। ୮ ତାରିଖ ସକାଳେ ସାମୁଦ୍ରିକ ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହେବା ସହିତ ପବନର ବେଗ ୧୩୦ ରୁ ୧୪୫ କିମିକୁ ବୃଦ୍ଧି ପାଇବ। ଆସନ୍ତା ୯ ତାରିଖ ବେଳକୁ ବାତ୍ୟାର ବେଗ ଆହୁରି ବଢ଼ି ଘଣ୍ଟା ପ୍ରତି ବେଗ ୧୫୦ ରୁ ୧୬୫ କିମିରେ ପହଞ୍ଚିବାର ସମ୍ଭାବନା ରହିଛି। ସଂପ୍ରତି ସାମୁଦ୍ରିକ ଝଡ଼ ଅତି ମନ୍ଥର ଗତିରେ ଘଂଟାକୁ ମାତ୍ର ୫ରୁ ୬କିମି ବେଗରେ ଗତି କରୁଛି । ତେବେ କେଉଁ ସ୍ଥାନରେ ଉପକୂଳ ଛୁଇଁବ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ଏପରିକି ଆଗାମୀ ୫ ଦିନ ଅର୍ଥାତ ୧୦ ତାରିଖ ଯାଏଁ ଏହା ଉପକୂଳ ଛୁଇଁନପାରେ ବୋଲି ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଛନ୍ତି ।

Please follow and like us:
error