ସିବିଆଇ କଷ୍ଟୋଡିରେ ଚିଦାମ୍ବରମ

NATIONAL

ଶେଷରେ ଧରାପଡିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି॰ଚିଦାମ୍ବରମ । ଦୁଇଦିନ କାଳ ସିବିଆଇ ଓ ଇଡ଼ି ସହ ଛକାପଞ୍ଝା ପରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତରାତ୍ରିରେ ସିବିଆଇ ତାଙ୍କ ବାସଭବନ ଭିତରେ ପାଚେରି ଡେଇଁ ତାଙ୍କୁ ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ ଆଗୁଆ ଜାମିନ ଆବେଦନ ତାଙ୍କର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଚିଦାମ୍ବରମ ହଠାତ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ୭୨ ଘଣ୍ଟା କେଉଁ ଆଡେ ଲୁଚି ରହିବା ପରେ ରାତି ୯ଟା ସମୟରେ ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚି ଏକ ଖବରଦାତା ସମ୍ମିଳନୀ କରିଥିଲେ ଯେଉଁଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।

loading...

ଖବର ପାଇ ସିବିଆଇ ଏଆଇସିସି ମୁଖ୍ୟାଳୟରେ ଚିଦାମ୍ବରମଙ୍କୁ ଗିରଫ କରିବାକୁ ପହଞ୍ଚିଥିଲେ ହେଲେ କଂଗ୍ରେସ କର୍ମୀଙ୍କ ବାଧା ପ୍ରଦାନ ଯୋଗୁ ଗିରଫ କରିପାରିନଥିଲେ । ସେଠାରୁ ଚିଦାମ୍ବରମ ନିଜ ବାସଭବନକୁ ଯାଇଥିଲେ । ପରେ ପରେ ଗିରଫ ପାଇଁ ସିବିଆଇ ମଧ୍ୟ ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ମଧ୍ୟ ଭିତରକୁ ପ୍ରବେଶ କରିପାରିନଥିଲେ । ତେଣୁ ବାଧ୍ୟ ହୋଇ ସିବିଆଇ ପାଚେରି ଡେଇଁ ଭିତରକୁ ପ୍ରବେଶ କରିଥିଲେ ଓ ଗିରଫ କରିଥିଲେ । ତାପରେ ଗାଡିରେ ବସାଇ ଚିଦାମ୍ବରମଙ୍କୁ ମୁଖ୍ୟାଳୟକୁ ନେଇଥିଲେ । ଗତକାଲି ସିବିଆଇ କଷ୍ଟୋଡିରେ ଚିଦାମ୍ବରମ ରାତି କଟାଇଥିଲେ । ଦିଲ୍ଲୀ ସିବିଆଇ ଅଫିସରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଆଜି ଅପରାହ୍ନ ୨ଟାରେ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ସିବିଆଇ ତାଙ୍କୁ ହାଜର କରାଯିବ । ୧୪ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଅଧିକ ଖୋଳତାଡ ପାଇଁ ରିମାଣ୍ଡରେ ନେବ । ତାଙ୍କ ପୁଅ କାର୍ତ୍ତି ଓ ଚିଦାମ୍ବରମଙ୍କୁ ଆମ୍ନା ସାମ୍ନା ପଚରାଉଚୁରା କରିପାରେ ସିବିଆଇ । ଏହାଛଡା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଚିଦାମ୍ବରମଙ୍କୁ ରିମାଣ୍ଡରେ ନେଇପାରେ ।

ଶୁକ୍ରବାର ଦିନ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଅଛି । ତେବେ ସେ ଗିରଫ ହୋଇସାରିଥିବାରୁ ଆଗୁଆ ଜାମିନ ଆବେଦନର ଆଉ ମୂଲ୍ୟ ନାହିଁ । କିନ୍ତୁ ନିୟମିତ ଜାମିନ ଆବେଦନ ଚିଦାମ୍ବରମ କରିପାରିବେ । ଚିଦାମ୍ବରମଙ୍କ ଗିରଫକୁ ନେଇ କଂଗ୍ରେସ ମୁଖ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି ।

Please follow and like us:
error
loading...