ଆସୁଛି ବଡ ବିପଦ, ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଜନବସତି

INTERNATIONAL

ପୃଥିବୀ ଉପରକୁ ମାଡି ଆସୁଛି ବଡ ବିପଦ । ସମୁଦ୍ରତଟବର୍ତ୍ତୀ ଜନବସତି ସମ୍ପୂର୍ଣ ଧ୍ଵଂସ ପାଇଯିବ । ସମୁଦ୍ରକୂଳରେ ଗଢି ଉଠିଥିବା ସହର, ଗ୍ରାମ ଓ ସେ ସ୍ଥାନର ସଭ୍ୟତା, ସବୁକିଛି ସମୁଦ୍ରଗର୍ଭରେ ଲୀନ ହୋଇଯିବ । ପୂର୍ବରୁ ପୃଥିବୀର ତିନି ଚତୁର୍ଥାଂଶ ଜଳ ଥିବାବେଳେ ସ୍ଥଳଭାଗ ଥିଲା ମାତ୍ର ଏକ ଚତୁର୍ଥାଂଶ । ଏବେ କିନ୍ତୁ ଜଳଭାଗ ବଢିବାକୁ ଯାଉଛି । ଯାହାଫଳରେ ସ୍ଥଳଭାଗ ସଙ୍କୁଚିତ ହେବାକୁ ଯାଉଛି ଓ ଏକ ଚତୁର୍ଥାଂଶରୁ କମିବାକୁ ଯାଉଛି । ଗ୍ଲୋବଳ ୱାର୍ମିଙ୍ଗ ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବଢିବାରେ ଲାଗିଛି । ଯାହାଫଳରେ ଜଳବାୟୁରେ ଘୋର ପରିବର୍ତ୍ତନ ଘଟିବାକୁ ଯାଉଛି । କ୍ଲାଇମେଟ ଆଟମ୍ସଫିୟରିକ ସାଇନ୍ସ ପତ୍ରିକା ରିପୋର୍ଟ ଅନୁଯାୟୀ ୮୦ ବର୍ଷ ମଧ୍ୟରେ ବାଯୁମଣ୍ଡଳର ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ବଢିଯିବାର ବିପଦ ଦେଖାଦେଇଛି । ମେରୁ ଅଞ୍ଚଳର ହିମବାହ ତରଳିବା ଫଳରେ ସମୁଦ୍ର ଜଳସ୍ତର ୧.୩ ମିଟର ପାଖାପାଖି ବୃଦ୍ଧି ପାଇବ । ବିସ୍ତୀର୍ଣ ସମୁଦ୍ର ତଟବର୍ତ୍ତୀ ଆଞ୍ଚଲ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ପ୍ରାୟ ୭୭ କୋଟିରୁ ଅଧିକ ଲୋକ ନିଜର ବାସସ୍ଥାନ ହରାଇବେ ।

ଗବେଷକମାନଙ୍କ ମତରେ ୧୯୯୨ରୁ ୨୦୧୭ ମଧ୍ୟରେ ମେରୁ ଅଞ୍ଚଳରେ ୬୪୦ ହଜାର କୋଟି ଟନ ଓଜନର ହିମବାହ ତରଳି ସରିଲାଣି । ଗତ ୧୦ ବର୍ଷ ଧରି ଦେଖାଯାଇଛି ଯେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୪ ମିଲିମିଟର ବୃଦ୍ଧି ପାଉଛି । ପରିବେଶ ବିଜ୍ଞାନୀଙ୍କ ମତରେ ଯଦି ବାୟୁମଣ୍ଡଳର ତାପମାତ୍ରା ବଢିଚାଲେ ତେବେ ୨୩୦୦ ମସିହା ସୁଦ୍ଧା ସମୁଦ୍ର ଜଳସ୍ତର ପ୍ରାୟ ୫.୬ ମିଟର ବଢିଯିବ । ଏଭଳି ସ୍ଥିତିରେ ସମୁଦ୍ର ତଟବର୍ତ୍ତୀ ବ୍ୟାଙ୍କକ, ମାୟାମି, ଭେନିସ, ନ୍ୟୁୟର୍କ ଭଳି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ଜାତିସଂଘର ଆଇପିସିସି ପକ୍ଷରୁ ଗ୍ରୀନହାଉସ ଗ୍ୟାସ ପରିମାଣ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବାରୁ ସମୁଦ୍ର ଜଳସ୍ତର ୧୦ ଗୁଣ ଅଧିକ ବେଗରେ ବଢୁଛି ବୋଲି ସତର୍କ ସୂଚନା ଜାରି କରାଯାଇଛି ।

Please follow and like us: