ଆଇପିଏଲ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ

SPORTS

ଜୟପୁର: ଆଇପିଏଲରେ ସୋମବାର ୪୦ତମ ମ୍ୟାଚରେ ଅଜିଙ୍କ୍ୟ ରାହାଣେଙ୍କ ଶତକକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସଠୁ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ବିଜୟ ଛଡ଼ାଇ ନେଇଛି। ରାଜସ୍ଥାନ ରୟାଲ୍ସ ୧୯୧ ରନ୍ ସଂଗ୍ରହ କରିଥିବାବେଳେ ଦିଲ୍ଲୀ ଦଳ ଶିଖର ଧାୱନ ଏବଂ ଋଷବ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଜିତି ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ ମ୍ୟାଚରୁ ସପ୍ତମ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ ଦଶମ ମ୍ୟାଚରୁ ସପ୍ତମ ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲରେ ଦିଲ୍ଲୀ ମଧ୍ୟ ଶୀର୍ଷକୁ ଉଠିଛି। ସୋମବାର ସବାଇ ମାନସିଂହ ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ରାଜସ୍ଥାନ ରୟାଲ୍ସ ସଂଜୁ ସାମସନଙ୍କୁ ସଅଳ ହରାଇଥିଲା। ଗୋଟିଏ ବି ବଲ୍ ସମ୍ମୁଖୀନ ହେବା ପୂର୍ବରୁ
ସାମସନଙ୍କୁ ରବାଦା ରନ୍ ଆଉଟ୍ କରିଦେଇଥିଲେ। ବେନ୍ ଷ୍ଟୋକ୍ସ (୮, ୮ ବଲ୍) ଏବଂ ଆଷ୍ଟନ୍ ଟର୍ନର (୦) ମଧ୍ୟ ନିରାଶ କରିଥିଲେ। ବିଦାୟୀ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଦ୍ବିତୀୟ ୱିକେଟ୍ ଭାଗୀଦାରିରେ ୭୮ ବଲରୁ ୧୩୦ ରନ୍ ଯୋଡ଼ି ବଡ଼ ସ୍କୋର୍ ମୂଳଦୁଆ ପକାଇଥିଲେ। ରାହାଣେ (୧୦୫ଞ୍ଚ, ୬୩ ବଲ୍, ୧୧ ଚୌକା, ୩ ଛକା) ନିଜ ଦ୍ବିତୀୟ ଟ୍ବେଣ୍ଟି-୨୦ ଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସ୍ମିଥ୍ (୫୦, ୩୨ ବଲ୍, ୮ ଚୌକା) ଲଗାତାର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଭାଗରେ ଦିଲ୍ଲୀ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବାରୁ ରାଜସ୍ଥାନ ସମ୍ଭାବ୍ୟ ୨୦୦ ରନ୍ ଅତିକ୍ରମ କରିପାରିନଥିଲା। ଶେଷ ଓଭରରେ କାଗିସୋ ରବାଦା ଘଣ୍ଟାପ୍ରତି ୧୫୧ କିଲୋମିଟର୍ ବେଗରେ ବୋଲିଂ କରିବା ସହିତ ୨ ୱିକେଟ୍ ବାହାର କରିନେଇଥିଲେ। ଷ୍ଟୁଆର୍ଟ ବିନ୍ନି (୧୯, ୧୩ ବଲ୍, ୨ ଚୌକା) ଏବଂ ରିୟାନ୍ ପରାଗ (୪)ଙ୍କୁ ସେ ଆଉଟ୍ କରିଥିଲେ। ଫଳରେ ରାଜସ୍ଥାନ ୧୯୧/୬ରେ ସୀମିତ ରହିଯାଇଥିଲା।

ଜବାବରେ ଶିଖର ଧାୱନ ଏବଂ ପୃଥୀ ସ’ ପାୱାର ପ୍ଲେ ୬ ଓଭରରେ ବିନା ୱିକେଟରେ ୫୯ ରନ୍ ସଂଗ୍ରହ କରିବା ପରେ ଦିଲ୍ଲୀ ଆଉ ପଛକୁ ଫେରିନଥିଲା। ଧାୱନ ମାତ୍ର ୨୫ ବଲରୁ ୫୦ ରନ୍ କରିଥିଲେ। ସେ ୨୭ ବଲ୍ ଖେଳି ୮ ଚୌକା, ୨ ଛକା ସହିତ ୫୪ ରନ୍ କରି ସେ ଆଉଟ୍ ହୋଇଯିବା ପରେ ପୃଥ୍ବୀ ସ’ ୩୯ ବଲରୁ ୪ ଚୌକା, ୧ ଛକା ବଳରେ ୪୨ ରନ୍ କରିଥିଲେ। ଉଭୟଙ୍କୁ ସ୍ପିନର ଶ୍ରେୟସ ଗୋପାଳ ଆଉଟ୍ କରିଥିଲେ। ମଧ୍ୟକ୍ରମରେ ଶ୍ରେୟସ ଆୟର (୪) ଏବଂ ସେର୍ଫାନ୍ ରଦରଫୋର୍ଡ (୧୧) ବିଫଳ ହୋଇଥିଲେ ମଧ୍ୟ ବିଜୟ ପାଇ ଆବଶ୍ୟକ ଅବଶିଷ୍ଟ କାମ କରିଥିଲେ ଋଷବ ପନ୍ତ୍ (୭୮ଞ୍ଚ, ୩୬ ବଲ୍, ୬ ଚୌକା, ୪ ଛକା)। ମାତ୍ର ୨୬ ବଲରୁ ଅର୍ଧଶତକ ହାସଲ କରି ଦଳକୁ ୪ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ଜୟଦେବ ଉନାଦକତଙ୍କୁ ମିଡ୍ୱିକେଟ୍ ଉପରେ ଛକା ମାରି ପନ୍ତ୍ ହିଁ ମ୍ୟାଚ୍ ଶେଷ କରିଥିଲେ। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଙ୍କୁ ହିଁ ମିଳିଥିଲା।

Please follow and like us:
error