ଶ୍ରୀମନ୍ଦିର ସୁରକ୍ଷା ପାଇଁ ଉଚ୍ଛେଦ ହେଉଛି ବଡ ଆଖଡା ମଠ, ଯେଉଁ ମଠ କରୁଥିଲା ଶ୍ରୀମନ୍ଦିର ସୁରକ୍ଷା

STATE

ଆଜି ସକାଳୁ ଆରମ୍ଭ ହୋଇଛି ବଡ ଆଖଡା ମଠ ଉଚ୍ଛେଦ । ଏହି ମଠ ଦିନେ ଶ୍ରୀମନ୍ଦିର ସୁରକ୍ଷାର ଦାୟିତ୍ଵ ନିଜ ଉପରକୁ ନେଇଥିଲା । ଏହି ମଠର ନାଗା ସାଧୁମାନେ ଶ୍ରୀମହାପ୍ରଭୁଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲେ । ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସୁରକ୍ଷାରେ ପୁରୀରେ ଥିବା ମଠମାନଙ୍କ ମଧ୍ୟରେ ବଡ ଆଖଡା ମଠର ଅବଦାନ ଥିଲା ଅଧିକ ଗୁରୁତ୍ଵପୂର୍ଣ । ଏହି ମଠ ୧୩୫୨ମସିହାରେ ସ୍ଥାପିତ ହୋଇଥିଲା ଶ୍ରୀ ରାମାନନ୍ଦାଚାର୍ଯ୍ୟଙ୍କ ଦ୍ଵାରା ।  ରାମାନନ୍ଦାଚାର୍ଯ୍ୟଙ୍କ ମୋଟ ୬ଟି ଆଖଡା ପ୍ରତିଷ୍ଠା କରିଥିଲେ । ତନ୍ମଧ୍ୟରୁ ପୁରୀର ଦିଗମ୍ବର ଆଖଡା ବା ଏବେକାର ବଡ ଆଖଡା ମଠ ଅନ୍ୟତମ । କୁମ୍ଭମେଳା ଭଳି ପୁରୀରେ ନାଗା ସାଧୁଙ୍କ ଜମାତ ହୁଏ । ପୁରୀର ରଥଯାତ୍ରାରେ ନାଗା ସାଧୁମାନେ ଏହି ମଠରେ ଏକାଠି ହୁଅନ୍ତି ଯାହାକୁ ଜମାତ କୁହାଯାଏ । ଶ୍ରୀମନ୍ଦିର ଉପରେ ଆକ୍ରମଣ କାଳରେ ରାମାନନ୍ଦ ସମ୍ପ୍ରଦାୟର ନାଗା ସାଧୁମାନେ ନିଜ ଜୀବନକୁ ବାଜି ଲଗାଇ ଆକ୍ରମଣକାରୀଙ୍କ ସହିତ ଯୁଦ୍ଧ କାରୀ ନିଜର ପ୍ରାଣପାଟ କରୁଥିବା ଇତିହାସରୁ ଜଣାଯାଏ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏମାନଙ୍କର ତ୍ୟାଗ ପାଇଁ ପୁରୀର ଗଜପତି ମହାରାଜ ମଧ୍ୟ ସମ୍ମାନ ଜଣାଇ ସେମାନଙ୍କ ଚିତାକୁ ଶ୍ରୀମନ୍ଦିରର ଅଁଳା ବେଢାରେ ସ୍ଥାନିତ କରିଛନ୍ତି । ପୂର୍ବେ ଗୁଣ୍ଡିଚା ଓ ଦୋଳ ଯାତ୍ରାବେଳେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ଶ୍ରୀମନ୍ଦିରକୁ ଯେତେବେଳେ ବାହାରକୁ ବାହାରୁଥିଲେ ବଡ ଆଖଡାର ନାଗା ସାଧୁ ସନ୍ଥମାନେ ଦୁଇପଟେ ଘେର ବାଡ କରି ହାତ ହତିଆର ଧରି ମହାପ୍ରଭୁଙ୍କୁ ବାହାର ଓ ଭିତର ବିଜେ କରାଉଥିଲେ । ମୋଗଲ ସାମ୍ରାଜ୍ୟ ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିବାବେଳେ ଏହି ନାଗାମାନଙ୍କ ଜମାତ ହିଁ ସୁରକ୍ଷା ଦେଉଥିଲା ।

loading...

ହେଲେ ଆଜି ସମୟର କି ବିଡମ୍ବନା ! ଯେଉଁ ବଡ ଆଖଡା ମଠ ନାଗା ସାଧୁମାନଙ୍କ ଜମାତ ଦ୍ଵାରା ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଉଥିଲା, ସେହି ମଠ ଆଜି ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ମାଟିରେ ମିଶିଯିବାକୁ ଯାଉଛି । ନିଷ୍ଠୁର ବୁଲଡୋଜର ତାକୁ ପିଟି ପିଟି ଚୂନା ଚୂନା କରିଦେଉଛି । ଆଜି ସକାଳୁ ଭଙ୍ଗା ଚାଲିଛି ସେହି ଐତିହ୍ୟପୂର୍ଣ ମଠର ଉଚ୍ଛେଦ । ଲଙ୍ଗୁଳି ମଠ ପଟୁ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ । ତେବେ ଗୋଟିଏ ବୁଲଡୋଜର ମଧ୍ୟ ଭାଗକୁ ଖଣ୍ଡ ଖଣ୍ଡ କରିଚାଲିଥିଲା । ମଠର ବିଜେସ୍ଥଳୀ, ଗାଦିସ୍ଥଳୀ, ରୋଷଘର ଓ ହନୁମାନ ମନ୍ଦିର ଉଚ୍ଛେଦ କରାଯିବନି ବୋଲି ନିଷ୍ପତ୍ତି ହୋଇଛି । ମଠ ପରିସରରେ ଥିବା ୩୭ଟି ଦୋକାନ ଘର ମଧ୍ୟ ଭଙ୍ଗା ହେଉଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛି । ଉଲ୍ଲେଖଯୋଗ୍ୟ ଯେ ଗତ ୩ ତାରିଖ ଦିନ ଏହି ମଠ ଉଚ୍ଛେଦ କାର୍ଯ୍ୟ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ସେଦିନ ସାଧୁସନ୍ଥ ମାନେ ମେଳି ହୋଇ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନମାନ ଦେଇ ଉଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ତେଣୁ ସେଦିନ ଉଚ୍ଛେଦ ହୋଇପାରିନଥିଲା । ସେହିଦିନଠାରୁ ବଡ ଆଖଡା ମଠ ଉଚ୍ଛେଦ ସ୍ଥଗିତ ରହିଥିବାବେଳେ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସକ୍ୟୁରି ପୁରୀ ଆସି ସ୍ଥିତି ପରଖି ଯାହା କରାଯାଉଛି, ଠିକ କରାଯାଉଛି ବୋଲି କହିଥିଲେ ଓ ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ ।

 

Please follow and like us:
error
loading...