ଡ. ପ୍ରତିଭା ରାୟ ହେଲେ ଜ୍ଞାନପୀଠ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷା

LITERATURE WING NATIONAL News

            ଖ୍ୟାତନାମା ଔପନ୍ୟାସିକା ତଥା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ସମ୍ମାନଜନକ ଜ୍ଞାନପୀଠ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷା ରୂପେ ନିଯୁକ୍ତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ଭାରତୀୟ ଜ୍ଞାନପୀଠର ଅଫିସିଆଲ ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ସାହିତ୍ୟ କ୍ଷେତ୍ରରେ ସମ୍ମାନ ଜନକ ଜ୍ଞାନପୀଠ ପୁରସ୍କାର ପାଇଁ ଉଦ୍ଦିଷ୍ଟ ଚୟନ ମଣ୍ଡଳୀର ଜଣେ ସଦସ୍ୟା ହିସାବରେ ରହିଥିଲେ ।

            ଡ ପ୍ରତିଭା ରାୟଙ୍କର ପ୍ରଥମ ଉପନ୍ୟାସ ଥିଲା ‘ବର୍ଷା ବସନ୍ତ ବୈଶାଖ’ ଯାହା ତାଙ୍କୁ ପ୍ରତିଷ୍ଟିତ କରିଥିଲା ଓ ସାହିତ୍ୟ ଜଗତରେ ପରିଚିତ କରାଇଥିଲା । ଏହାପରେ ସେ ବହୁ ଉପନ୍ୟାସ ରଚନା କରିଥିଲେ ଯାହା କି ପାଠକ ମହଲରେ ବେଶ ଆଦୃତି ଲାଭ କରିଥିଲା । ତାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ପାଇଁ ୧୯୯୧ ମସିହାରେ ଭାରତୀୟ ଜ୍ଞାନପୀଠ ଦ୍ଵାରା ପ୍ରଦତ୍ତ ‘ମୂର୍ତ୍ତିଦେବୀ ସମ୍ମାନ’ ଲାଭ କରିଥିଲେ । ବହୁ ଲୋକପ୍ରିୟ ଉପନ୍ୟାସ ରଚନା କରି ଓଡିଆ ସାହିତ୍ୟକୁ ସେ ସମୃଦ୍ଧ  କରିଛନ୍ତି । ତାଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ହୋଇଥିଲା । ତାଙ୍କର ପିତା ପର୍ଶୁରାମ ଦାସ ମଧ୍ୟ ଥିଲେ ଜଣେ କବି । ୨୦୦୭ରେ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ । ୨୦୧୧ରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଥିଲେ । ଏହା ବ୍ୟତୀତ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, ଓଡିଶା ଲିଭିଂ ଲିଜେଣ୍ଡ ପୁରସ୍କାର ଆଦି ଏକାଧିକ ସମ୍ମାନ ଲାଭ କରିଛନ୍ତି ।

            ଜ୍ଞାନପୀଠ ସିଲେକ୍ସନ ବୋର୍ଡର ଅଧ୍ୟକ୍ଷ୍ୟା ରୂପେ ନିଯୁକ୍ତି ପାଇଥିବାରୁ ସାହିତ୍ୟିକ ମହଲରେ ଖୁଶିର ବାତାବରଣ ଦେଖାଦେବା ସହିତ ଅଭିନନ୍ଦନର ସୁଅ ଛୁଟିଛି ।

Please follow and like us: