କଲମ୍ବୋ ବିସ୍ପୋରଣରେ ମୃତ୍ୟୁସଂଖ୍ୟା ୨୯୦କୁ ବୃଦ୍ଧି ; ୫ ଭାରତୀୟ ସାମିଲ

INTERNATIONAL

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୯୦ ମୃତକଙ୍କ ମଧ୍ୟରେ ୫ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ଆଜି ସକାଳେ ଏହି ସୂଚନା ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ପୂର୍ବରୁ କେବଳ ଜଣେ ଭାରତୀୟ ମହିଳା ନିହତ ହୋଇଥିବା ନେଇ ସୂଚନା ମିଳିଥିଲା। ଏ ନେଇ କଲମ୍ବୋସ୍ଥିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା +୯୪୭୭୭୯୦୩୦୮୨, +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯, +୯୪୭୭୭୯୦୨୦୮୨ ଏବଂ +୯୪୭୭୨୨୩୪୧୭୬। ଏହି ନମ୍ବର ଜରିଆରେ ମୃତାହତଙ୍କ ସଂପର୍କରେ ସୂଚନା ମିଳିପାରିବ।

ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ୱ ସମେତ କଲମ୍ବୋରେ ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଗତକାଲି ସକାଳୁ ଗୋଟିଏ ପରେ ଗୋଟିଏ ୮ଟି ବୋମା ବିସ୍ଫୋରଣ ଘଟିଥିଲା। ରିପୋର୍ଟ ଲେଖାଯିବା ବେଳକୁ ୨୯୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କର ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାଗୁଡ଼ିକ ହୋଟେଲ ଏବଂ ଚର୍ଚ୍ଚ ଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଫଳରେ ଏହି ଘଟଣାରେ କିଛି ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପୁଲିସ ୧୩ଜଣଙ୍କୁ ଗିରଫ କରିଥିବା ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

Please follow and like us: