ପୁରୀଠାରୁ ୪୩୦ କିମି ଦୂରରେ ପହଞ୍ଚିଲା ସାମୁଦ୍ରିକ ବାତ୍ୟା ‘ଫନି’

STATE

ବର୍ତ୍ତମାନ ସାମୁଦ୍ରିକ ବାତ୍ୟା ‘ଫନି’ ପୁରୀଠାରୁ ମାତ୍ର ୪୩୦ କିମି ଦୂରରେ ପହଞ୍ଚିଛି । ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୪୩୦ କିମି ଦୂରରେ ଏହାର କାୟା ବିସ୍ତାର କରି ପହଞ୍ଚି ସାରିଲାଣି । ଫନି’ର ଏହି ଅବସ୍ଥିତି ନେଇ ସୂଚନା ମିଳିଛି ଆଇଏମଡ଼ି ପକ୍ଷରୁ । ଘଣ୍ଟାକୁ ୧୫ କିମି ବେଗରେ ଓଡିଶା ମୁହାଁ ହୋଇ ଧାଇଁ ଆସୁଛି ଫନି । ଅନୁମାନ କରାଯାଉଛି ୩ ତାରିଖ ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଏହା ପୁରୀ ପାଖାପାଖି ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି । ତେବେ ବିଶେଷ କାରୀ ସାତପଡା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି ।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ ରୁ ୧୮୦ କିମି ରହିବ । କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦ କିମି ରହିବ । ଡପଲର ୱେଦର ରାଡ଼ାରରେ ବାତ୍ୟା ସ୍ଥିତି ସ୍ପଷ୍ଟ ହୋଇଛି । ଫନି’ର ପ୍ରଭାବରେ ସମୁଦ୍ରରେ ୧.୫ ମିଟର ଉଚ୍ଚର ଜୁଆର ଆସିବ । ଲ୍ୟାଣ୍ଡଫଲ ସମୟରେ ତଳିଆ ଅଞ୍ଚଳରେ ପାଣି ପଶିବା ସମ୍ଭାବନା ରହିଛି । ଓଡିଶାର ୪ ଜିଲ୍ଲାର ତଳିଆ ଆଞ୍ଚଲ ପାଇଁ ସତର୍କତା ଜାରି କରାଯାଇଛି । ସେଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଫନି ଯୋଗୁ ମାଟି ଘର ବାସିନ୍ଦା ବେଶୀ ପ୍ରଭାବିତ ହେବେ । ତେଣୁ ସତର୍କ ରହିବାକୁ ମାଟିଘର ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି । ପୁରୁଣା କୋଠା ଘର ପ୍ରତି ମଧ୍ୟ ବିପଦ ରହିଛି ବୋଲି କୁହାଯାଇଛି । ଘର ପାଖରେ ବଡ ଗଛ ଥିଲେ ସତର୍କ ରହିବାକୁ ପଡିବ । ତାଳ ଓ ନଡିଆ ଗଛ ମଧ୍ୟ ବିପଦର କାରଣ ହୋଇପାରେ । ସେପରି ନଦୀ ଓ ସମୁଦ୍ରରେ ଡଙ୍ଗା ଓ ବୋଟ ନ ଚଳାଇବାକୁ ପରାମର୍ଶ ଦିଆଯାଇଛି । ରେଳୱେ ଟ୍ରାକ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

Please follow and like us:
error