ଆହୁରି ୪୮ ଘଣ୍ଟା ବର୍ଷା ଜାରିରହିବ

Weather

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା ହେବ । ଦକ୍ଷିଣ ଓଡିଶା ସମେତ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ କାଲିଠୁ କମିବ ବୋଲି ପୂର୍ବନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବୌଦ୍ଧ, ସୋନପୁର, ନବରଙ୍ଗପୁର, ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧରେ ମଧ୍ୟ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଛି ।

୨ ଦିନ ଧରି ଲଗାଣ ବର୍ଷା ଯୋଗୁ କଣ୍ଟାମାଳ ବ୍ଲକରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ତେଲ ଓ ଖଡଙ୍ଗ ନଦୀ ଉଛୁଳି ଏକାଧିକ ଗାଁରେ ପାଣି ପଶିଛି । ଖମନମୁଣ୍ଡାର ଦେଓଗାଁ, ରେଙ୍ଗାଲିର କମଘାଟ ଓ ଗମ୍ଭାରୀପଦରରେ ପାଣି ପଶିଛି । କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡ ପୋଲ ଉପରେ ୫ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ କଣ୍ଟାମାଳ-ବାଲିଗୁଡା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ସେହିପରି ମୁନିଗୁଡା ଇଚ୍ଛାପୂର କୋଟଣିପଦର ଗାଁ ପାଖ ନାଳ ଉପରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ନାଳ ଉପରେ ବର୍ଷା ଜଳ ପ୍ରବାହିତ ଯୋଗୁ ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । କରଲିଗୁଡା, ଲହରାପଦର ଓ କୁଟୁଣିପଦର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।  ବିନିକାରେ ମଧ୍ୟ ରାସ୍ତାରେ ୫ ଫୁଟର ପାଣି ଚାଲୁଛି । ତେଣୁ ଶହ ଶହ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏମଡ଼ିଆର-୩୯ ଲଙ୍ଗଳକଣ୍ଟା କୁଡ଼ାଡେରା ମୁଖ୍ୟ ରାସ୍ତାରେ ୫ ଫୁଟର ଜଳ ପ୍ରବାହିତ ହେଉଛି । ଡ଼ୁଙ୍ଗୁରିପାଲି-ଏସ ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

Please follow and like us:
error