ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

STATE

ଭୁବନେଶ୍ୱର : ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସରକାରୀ ପ୍ଲଟରେ ଘର ତିଆରି ପାଇଁ ଜଣଙ୍କଠୁ ବଟି ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶନିବାର କମିସନରେଟ ପୋଲିସର ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ତାଙ୍କୁ ଉଠାଇନେଇ କ୍ୟାପିଟାଲ ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି। ପୋଲିସ କମିଶନର କହିଛନ୍ତି ଯେ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି । କୌଣସି ଅପରାଧୀ ବଡ ନୁହନ୍ତି । ଲୋକେ ଏମାନଙ୍କୁ ଭୟ କରୁଛନ୍ତି ବୋଲି ଏମାନେ ଭୟଭୀତ କରୁଛନ୍ତି । ଜନସାଧାରଣ ପୋଲିସକୁ ଜଣାଇଲେ ଅପରାଧୀଙ୍କ ପ୍ରତି ପଦକ୍ଷେପ ନିଆଯିବ ।

ଗତକାଲି ଟୁଇନ୍ ସିଟିରେ ଦାଦାବଟି ଜୁଲମ ବିରୋଧରେ କମିସନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ଗଠନ କରିଥିଲେ। ଦାଦାବଟି ଆଦାୟ କରୁଥିବା କାହାକୁ ବି ଛଡ଼ାଯିବନି ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କହିଥିଲେ। ଏହି ଉଇଙ୍ଗ ଗଠନ କରାଯିବାର ଦିନକ ପରେ ଆଜି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଠାରୁ ଦାଦାବଟି ଦମନର ଅଭିଯାନ ଆରମ୍ଭ କରିଛି ପୋଲିସ।

ବହୁ ଚର୍ଚ୍ଚିତ ବିରଞ୍ଚି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲା ରାଜା। ଏହାପରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ନିଜର ଅପରାଧିକ କାର୍ଯ୍ୟକଳାପରେ ପୁଣି ଲିପ୍ତ ହୋଇପଡ଼ିଥିଲା କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ। ତେବେ ସରକାରୀ ଜମିରେ ଘର ତିଆରିକୁ ନେଇ ଜଣଙ୍କଠାରୁ ୨୦ ହଜାର ବଟି ଆଦାୟ କରିବା ଅଭିଯୋଗରେ ଶନିବାର ତାକୁ କମିସନରେଟ ପୋଲିସ ଗିରଫ କରିଛି। ଏହାବାଦ ମଙ୍ଗଳବାଗ ପୋଲିସ ରାଣୀହାଟ ଗୋପାଳସାହିର ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ କମିଶନରଙ୍କ ତାଗିଦ ପରେ ବି ଏମାନେ ମଧ୍ୟ ଦାଦାବଟି ଆଦାଯ କରୁଥିବା ଅଭିଯୋଗ ହୋଇଛି । ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Please follow and like us: