ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ ମହିଳା ଫୁଟବଲ ; ଇରାନକୁ ହରାଇଲା ଭାରତ

SPORTS


ଭୁବନେଶ୍ଵର : ଓଡ଼ିଶା ସହ ଭାରତୀୟ ମହିଳା ଫୁଟବଲ୍ ଇତିହାସରେ ଶନିବାର ନୁଆ ଫର୍ଦ୍ଦ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଭାରତରେ ଏକ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତା ପଦାପର୍ଣ କରିଛି। ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହିଁ ଆରମ୍ଭ ହୋଇଛି। ହକି ବିଶ୍ଵକପ୍, ଏସୀୟ ଦୌଡ଼କୁଦ ଭଳି ପ୍ରତିଯୋଗିତା ଆୟୋଜନ କରି ବିଶ୍ଵ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ସାରିଥିବା କଳିଙ୍ଗ ଷ୍ଟାଡିୟମ୍ ତା’ ସହ ନିଜ ଅନ୍ତର୍ଜାତୀୟ ଆୟୋଜନ ତାଲିକାରେ ମହିଳା ଫୁଟବଲ ସାମିଲ କରି ନେଇଛି। ଶନିବାର ଅପରାହ୍ନର ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ା ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସର୍ବଭାରତୀୟ ଫୁଟବଲ ମହାସଂଘର ବୈଷୟିକ ନିର୍ଦେଶକ ଅଭିଷେକ ଯାଦବ ଏହି ଅବସରରେ ଉପସ୍ଥିତ ଥିଲେ।

ସେହିଭଳି ରାତିରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଦଳର ଦୁଇ ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ସସ୍ମିତା ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ। ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ବେଳେ କଳିଙ୍ଗ ଷ୍ଟାଡିୟମର ଦର୍ଶକ ଗ୍ୟାଲେରି ଦୁର୍ଭାଗ୍ୟଜନକ ଭାବେ ଫାଙ୍କା ପଡ଼ିଥିଲା। ଭାରତ-ଇରାନ ମ୍ୟାଚ୍ ବେଳକୁ ଅବଶ୍ୟ ଏହା ଟିକିଏ ଭରି ଯାଇଥିଲା। ଗୋଲ୍ଡ କପ୍ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାରୁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାକୁ ସ୍ଥାନୀୟ ଦର୍ଶକଙ୍କୁ ଓଡ଼ିଶା ଫୁଟବଲ ସଂଘ ଏବଂ ସର୍ବଭାରତୀୟ ଫୁଟବଲ ସଂଘ ଆହ୍ବାନ କରିଛନ୍ତି। ପ୍ରତିଯୋଗିତାର ପରବର୍ତ୍ତୀ ଲଢ଼େଇ ସୋମବାର ହେବ। ସେହିଦିନ ପ୍ରଥମ ମ୍ୟାଚ୍ ମିଆଁମାର-ଇରାନ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ-ନେପାଳ ମଧ୍ୟରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ୧୫ ତାରିଖରେ ଆୟୋଜିତ ହେବ।

Please follow and like us:
error