ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ ; ଅଷ୍ଟ୍ରେଲିଆର କର ବା ମର ପରିସ୍ଥିତି

SPORTS

ରାଞ୍ଚି : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ୍ ସଂଘ ପଡିଆରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତ ୩-୦ରେ ଆଗୁଆ ଶୃଙ୍ଖଳା ବିଜୟ ନେଇ ଆଶାବାଦୀ ରହିଛି। ବିଶ୍ବକପ୍ ପୂର୍ବର ଏହି ଶେଷ ଦିନିକିଆ ପରୀକ୍ଷାରେ ସଫଳ ହୋଇ ଭାରତ ଆଉ କିଛି ପରୀକ୍ଷା ନିରୀକ୍ଷା କରିବା ଯୋଜନାରେ ମଧ୍ୟ ରହିବ। ବିଶେଷ କରି ରାଞ୍ଚିରେ ୩-୦ ସମ୍ଭବ ହେଲେ ଲୋକେଶ ରାହୁଲ ଏବଂ ଋଷବ ପନ୍ତଙ୍କୁ ଅବଶିଷ୍ଟ ୨ ମ୍ୟାଚରେ ସୁଯୋଗ ଦିଆଯିବା ନିଶ୍ଚିତ। ଭାରତ ପାଇଁ ଶିଖର ଧାୱନଙ୍କ ଫର୍ମ ଏବଂ ଅମ୍ବାତି ରାୟୁଡୁଙ୍କୁ କେଉଁଠି ଖେଳାଯିବ ସେ ନେଇ ଚିନ୍ତା ବଢ଼ିଛି। ବିଜୟ ଶଙ୍କରଙ୍କୁ ୪ ନମ୍ବରରେ ବିଶ୍ବକପ୍ ସୁଯୋଗ ଦେବା ଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେବ ଚଳିତ ଶୃଙ୍ଖଳାର ଶେଷ ୩ ମ୍ୟାଚ୍। ଭାରତକୁ ଅଷ୍ଟ୍ରେଲିଆ ପ୍ରଥମ ୨ ମ୍ୟାଚରେ ସହଜରେ ବାଟ ଛାଡ଼ିନାହିଁ। ହାଇଦ୍ରାବାଦରେ ଭାରତ ୨୩୭ ରନ୍କୁ ପିଛା କରି ୯୯/୪ରେ ସଂଘର୍ଷ କରିଥିଲା। ଧୋନି-କେଦାର ବଞ୍ଚାଇଥିଲେ। ନାଗପୁରରେ ଅଷ୍ଟ୍ରେଲିଆ ୨୫୧ ରନକୁ ପିଛା କରି ବିଜୟ ଆଡ଼କୁ ଅଗ୍ରସର ହେଉଥିଲେ ମଧ୍ୟ ବୋଲର କରାଇ ଦେଇନଥିଲେ। ଭାରତ ପାଇଁ ସବୁଠାରୁ ଭଲ କଥା ହେଉଛି ସ୍ବଳ୍ପ ସ୍କୋର୍ ବିଶିଷ୍ଟ ଏହି ଦୁଇ ମ୍ୟାଚରେ ଭାରତ ଥରେ ପଶ୍ଚାତଧାବନ କରି ଏବଂ ଅନ୍ୟଥର ଆଗ ବ୍ୟାଟିଂ କରି ରନକୁ ସୁରକ୍ଷିତ ରଖି ବିଜୟ ହାସଲ କରିଛି। ଶେଷ ୩ ମ୍ୟାଚ୍ ଲାଗି ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ବର କୁମାର ବି କୋହଲିଙ୍କ ପାଇଁ ଆତ୍ମବିଶ୍ବାସକୁ ଉଚ୍ଚା କରିଛି। ଯଶପ୍ରୀତ୍ ବୁମରା କିମ୍ବା ମହମ୍ମଦ ସାମିଙ୍କ ବଦଳରେ ଏହି ଅଲ୍ରାଉଣ୍ଡରଙ୍କୁ ଶୁକ୍ରବାର ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ଆରୋନ୍ ଫିଞ୍ଚ୍ ଫର୍ମକୁ ଫେରିବାର ସୂଚନା ଦେଇଥିବାରୁ ଗୋଟିଏ ସମସ୍ୟା ତ ନିଶ୍ଚିତ ଦୂର ହୋଇଛି। କିନ୍ତୁ ମଧ୍ୟ ଓଭର ଗୁଡ଼ିକରେ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଷ୍ଟ୍ରାଇକ୍ ରୋଟେଟ୍ ନ କଲେ ଭ୍ରମଣକାରୀ ଦଳ ସଫଳ ହେବା ଅସମ୍ଭବ। ଶୁକ୍ରବାର ମ୍ୟାଚରେ ଗତବର୍ଷ ଦେଶର ଶ୍ରେଷ୍ଠ ଦିନିକିଆ ବ୍ୟାଟସମ୍ୟାନ୍ ବିବେଚିତ ସନ୍ ମାର୍ସଙ୍କ ସହିତ ପିଟର୍ ହ୍ୟାଣ୍ଡସ୍କମ୍ଭ୍ ନିର୍ଣ୍ଣାୟକ ହେବେ। ଗତ ମ୍ୟାଚରେ ବିରଳ ସୁଯୋଗ ଭାବେ ପ୍ୟାଟ୍ କମିନ୍ସ ନୂଆ ବଲରେ ବୋଲିଂ ସାଙ୍ଗକୁ ରୋହିତ ଶର୍ମାଙ୍କ ୱିକେଟ୍ ସହିତ ମେଡେନ୍ ଓଭରରୁ ଅଭିଯାନ ଆରମ୍ଭ କରିଥିଲେ। ଘଣ୍ଟାପ୍ରତି ୧୪୫ କିଲୋମିଟର୍ ବେଗରେ ପକାଇବା ସହିତ ସୁଇଙ୍ଗ୍ ଓ ଏଜ୍ ପାଇବାର ଧାରାକୁ ସେ ଜାରି ରଖିଲେ ଭାରତ ପାଇଁ ସମସ୍ୟା ଆଣିପାରନ୍ତି। ଦଳ ପରିବର୍ତ୍ତନ ଭାବେ ଆହତ ନାଥନ୍ କୁଲଟର୍ ନାଇଲଙ୍କ ବଦଳରେ ଜାସନ୍ ବେହେରନଡର୍ଫ କିମ୍ବା ଝାଏ ରିଚାର୍ଡସନ୍ ଖେଳିବେ। ଯୁଗଳ ସ୍ପିନ୍ ଆକ୍ରମଣ (ଜାମ୍ପା-ଲାୟନ)କୁ କିନ୍ତୁ ଅଷ୍ଟ୍ରେଲିଆ ଅପରିବର୍ତ୍ତିତ ରଖିବ। ନିଜ ନିଜର ବିଗତ ୫ ମ୍ୟାଚ୍ ଦେଖିଲେ ଭାରତ ୪-୧, ଅଷ୍ଟ୍ରେଲିଆ ୧-୪ ବିଜୟ-ପରାଜୟ ସ୍ଥିତିରେ ରହିଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍ ପୂର୍ବରୁ ଭାରତ ନିଜର ଶେଷ ଦିନିକିଆ ଶୃଙ୍ଖଳା ଖେଳୁଥିଲେ ମଧ୍ୟ ଅଷ୍ଟ୍ରେଲିଆ କିନ୍ତୁ ୟୁଏଇ ଗସ୍ତ କରି ପାକିସ୍ତାନ ବିପକ୍ଷରେ ଆଉ ଏକ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାର ସୁଯୋଗ ରଖିଛି।

Please follow and like us: