ହାମିଲଟନ୍ : ଦିନିକିଆ ଶୃଙ୍ଖଳାରେ ପରାଜୟର ପ୍ରତିଶୋଧ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ରେ ନେଇଛି। ହାମିଲଟନର ସେଡ୍ନ ପାର୍କରେ ରବିବାର ଖେଳା ଯାଇଥିବା ନିର୍ଣ୍ଣାୟକ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ୪ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ତା’ ସହ ଭାରତ ହାତରୁ ଐତିହାସିକ ଶୃଙ୍ଖଳା ବିଜୟ ସୁଯୋଗ ମଧ୍ୟ ଛଡ଼ାଇ ନେଇଛି। ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଥିଲା ବେଳେ ନ୍ୟୁଜିଲାଣ୍ଡ ଶେଷ ଲଢ଼େଇରେ ବାଜି ମାରି ନେଇଛି। ଫଳରେ ଭାରତର ୯ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ଧାରା ବି ଅଟକି ଯାଇଛି।
ଭାରତ ମଧ୍ୟ ନ୍ୟୁଜିଲାଣ୍ଡରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ହାସଲରୁ ବଞ୍ଚିତ ହୋଇଛି। ଶୃଙ୍ଖଳା ସାରା ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିବା କିୱି ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନରୋ ମ୍ୟାଚ୍ ଏବଂ ଟିମ୍ ସେଫର୍ଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।