ଦ୍ୱିତୀୟ ଟି-୨୦; ସହଜରେ ଜିତିଲା ଭାରତ

SPORTS


ଅକଲାଣ୍ଡ୍‌: କୃନାଲ ପାଣ୍ଡ୍ୟାଙ୍କ ସ୍ପିନ୍ ଯାଦୁ (୩/୨୯) ପରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଧଶତକ (୨୮ ବଲ୍‌) ବଳରେ ଭାରତ ଶୁକ୍ରବାର ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଅତି ସହଜରେ ୭ ୱିକେଟ୍‌ରେ ୭ ବଲ୍ ପୂର୍ବରୁ ଜିତି ନେଇଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଆସିଯାଇଛି। ରବିବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଶୁକ୍ରବାର ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଧଶତକ ଜମାଇଥିବା ଟିମ୍ ସେଫର୍ଟଙ୍କୁ ଭୁବନେଶ୍ବର କୁମାର ତୃତୀୟ ଓଭରରେ ଆଉଟ୍ କରିଦେବା ବେଳକୁ ଦଳୀୟ ସ୍କୋର୍ ଥିଲା ୧୫। ଏହା ପରେ କଲିନ୍ ମୁନରୋ ଏବଂ ଅଧିନାୟକ କେନ୍ ୱିଲିୟମସନ୍‌ ପାଳିକୁ ପୁନଃ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ କୃନାଲ ପାଣ୍ଡ୍ୟାଙ୍କ ଆଗମନ ପରେ ଏହି ପାଳି ବିପର୍ୟ୍ୟସ୍ତ ହୋଇଯାଇଥିଲା। ନିଜର ୧୦ ବଲ୍‌ ଭିତରେ ୩ ୱିକେଟ୍ ଦଖଲ କରି ନେଇଥିଲେ ଏହି ବାମହାତୀ ସ୍ପିନର। ମୁନରୋ, ଡାରିଲ୍ ମିଚେଲ ଏବଂ ୱିଲିୟମସନ୍‌ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଫଳରେ ଘରୋଇ ଦଳ ୪୧/୧ରୁ ୫୦/୪ରେ ପହଞ୍ଚିଯାଇଥିଲା। ଏହି ସମୟରେ କିନ୍ତୁ ରସ୍ ଟେଲର୍ (୪୨, ୩୬ ବଲ, ୩ ଚୌକା) ଏବଂ କଲିନ୍ ଗ୍ରାଣ୍ଡହୋମ୍‌ (୫୦, ୨୮ ବଲ, ୧ ଚୌକା, ୪ ଛକା) ପଞ୍ଚମ ୱିକେଟ୍ ପାଇଁ ୭୭ ରନ୍ ଯୋଡ଼ି ଦଳକୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରାଇଥିଲେ। ରସ୍ ଟେଲରଙ୍କ ରନ୍ ଆଉଟ୍ ଏବଂ ଗ୍ରାଣ୍ଡହୋମଙ୍କୁ କନିଷ୍ଠ ପାଣ୍ଡ୍ୟା (ହାର୍ଦିକ) ଆଉଟ୍ କରିଦେବା ପରେ ନ୍ୟୁଜିଲାଣ୍ଡ୍ ଆଉ ଆଗକୁ ବଢ଼ି ପାରିନଥିଲା। ଶେଷ ଓଭରରେ ଖଲିଲ୍ ଅହମ୍ମଦ ୨ ୱିକେଟ୍ ନେଇ ଘରୋଇ ଦଳକୁ ୧୫୮/୮ରେ ସୀମିତ ରଖିଥିଲେ। ଭାରତ ଏହି ପାଳିରେ ୩୫ ଡଟ୍‌ ବଲ୍ ବୋଲିଂ କରିବା ନିର୍ଣ୍ଣାୟକ ଥିଲା।

ଜବାବରେ ଭାରତର ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଶିଖର ଧାୱନ ୯.୨ ଓଭରରେ ୭୯ ରନ୍ ଇଠାଇବା ଫଳରେ ଭ୍ରମଣକାରୀ ଦଳ ପାଇଁ ବିଜୟ ଔପଚାରିକତା ଭଳି ଲାଗିଥିଲା। ରୋହିତ ଶର୍ମା ୨୯ ବଲ୍‌ରୁ ୪ ଛକା, ୩ ଚୌକା ସହୟତାରେ ୫୦ ରନ୍ ଏବଂ ଧାୱନ ୩୧ ବଲ୍‌ରୁ ୩୦ ରନ୍ କରିଥିଲେ। ଏମାନଙ୍କ ପରେ ଋଷବ ପନ୍ତ୍‌ (୪୦ଞ୍ଚ, ୨୮ ବଲ, ୪ ଚୌକା, ୧ ଛକା) ଏବଂ ମହେନ୍ଦ୍ର ସିଂହ ଧୋନି (୨୦ଞ୍ଚ, ୧୭ ବଲ୍‌, ୧ ଚୌକା) ଭାରତକୁ ୭ ବଲ୍‌ ପୂର୍ବରୁ ୭ ୱିକେଟ୍‌ରେ ବିଜୟ ମଣ୍ଡିତ କରିଥିଲେ। ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା କୃନାଲ ପାଣ୍ଡ୍ୟାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

Please follow and like us:
error