ହେରାପଞ୍ଚମୀରେ କ୍ରୋଧିତା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥରୁ କାଠ

STATE

ଆଜି ଆଷାଢ ମାସ ଶୁକ୍ଳ ପକ୍ଷ ଷଷ୍ଠୀ । ଆଜିର ଦିନଟି ହେଉଛି ପବିତ୍ର ହେରାପଞ୍ଚମୀ । ମାନବୀୟ ଲୀଳା କରୁଛନ୍ତି ଲୀଳାମୟ ଜଗନ୍ନାଥ । ନବଦିନ ଯାତ୍ରାରେ ସେ ଆସିଛନ୍ତି ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରକୁ । ରତ୍ନବେଦୀରୁ ଓହ୍ଲାଇ ନବଦିନାତ୍ମକ ଯାତ୍ରା କରିଛନ୍ତି ଜନ୍ମବେଦୀକୁ । ଭୁଲିପାରିନାହାନ୍ତି ତାଙ୍କ ପ୍ରିୟ ଜନ୍ମସ୍ଥଳୀକୁ । ହେଲେ ଏହି ବାହାରକୁ ବୁଲି ଆସିବା ସମୟରେ ସାଙ୍ଗରେ ଆଣିନାହାନ୍ତି ତାଙ୍କର ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ । କାରଣ ଆମ ହିନ୍ଦୁ ଘରେ ବଡ ଭାଇ ସାଙ୍ଗରେ ଥିଲେ ସାନବୋହୁ ବା ଭାଇବୋହୁର ଦେଢଶୂରକୁ ମାନ୍ୟତା ଦୃଷ୍ଟିରୁ ସାଙ୍ଗରେ ନିଆଯାଏ ନାହିଁ । ତ୍ରେତୟା ଯୁଗରେ ମଧ୍ୟ ଶ୍ରୀରାମ ଦେଢଶୁର ହୋଇଥିବା କାରଣରୁ ଧର୍ମପତ୍ନୀ ଊର୍ମିଳାଙ୍କୁ ବନବାସ ସମୟରେ ସାନଭାଇ ଲକ୍ଷ୍ମଣ ନେଇନଥିଲେ ।

loading...

ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଆସନ୍ତି । ତେଣୁ ହେରାପଞ୍ଚମୀ ପୂର୍ବଦିନ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଓ ବନକ ଲାଗି ଗୁପ୍ତ ନୀତି କରାଯାଏ । ଅନ୍ତର୍ଯ୍ୟାମୀ ଜଗନ୍ନାଥ ସଜେଇ ହୋଇ ଅପେକ୍ଷା କରନ୍ତି ମହାଲକ୍ଷ୍ମୀଙ୍କୁ ।

 ସାଙ୍ଗରେ ଜଗନ୍ନାଥ ତାଙ୍କୁ ଆଣିନଥିବାରୁ କିନ୍ତୁ କ୍ରୋଧରେ ଜର୍ଜରିତା ମା ଲକ୍ଷ୍ମୀ । ତା ସହିତ ରହିଛି ସ୍ଵାମୀର ଅଦର୍ଶନରେ ବ୍ୟଥା ଓ ବେଦନା ।  ଶ୍ରୀମନ୍ଦିରରେ ସେ ସ୍ଥିର ରହିପାରୁନାହାନ୍ତି । ତେଣୁ ଆଜି ସେ ଆସନ୍ତି ତାଙ୍କ ପ୍ରାଣପ୍ରିୟ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ଆଜିର ଦିନରେ ଗୁଣ୍ଡିଚା ମନ୍ଦିର ଯାଇ ଦର୍ଶନକରନ୍ତି ଶ୍ରୀଜଗନ୍ନାଥଙ୍କୁ । ହେଲେ ଦର୍ଶନର ଅଭିଳାଷ ପୂରଣ ହେଇଯିବା ପରେ ଯାତ୍ରା ସମୟରେ ତାଙ୍କୁ ନେଇନଥିବା କ୍ରୋଧ ପୁଣି କବଳିତ କରିଛି ମନକୁ । ଫେରିବା ବାଟରେ ତେଣୁ ରାଗ ତୁଟାଇବେ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗି । ପୁଣି ରାଗ ଶାନ୍ତ ହେବା ପରେ ଖରାପ ଲାଗିବ । ସେଥିପାଇଁ ଆଉ ସେ ଶ୍ରୀମନ୍ଦିରକୁ ସିଧା ବାଟରେ ନ ଆସି, ଫେରିବେ ଶ୍ରୀମନ୍ଦିରକୁ ହେରାଗୋହିରୀ ସାହି ଦେଇ ।

ବଡଦେଉଳ ସ୍ଵତ୍ତ୍ବଲିପି ଅନୁସାରେ ଭଣ୍ଡାର ଘରେ ବିଜେ ମା ଲକ୍ଷ୍ମୀ(ଶ୍ରୀଦେବୀ)ଙ୍କୁ  ପାଳିଆ ସେବକ ପ୍ରଥମେ ମାଜଣା କରିବେ । ତାପରେ ବନକଲାଗି, ପାଟଶାଢୀ, ଅଳଙ୍କାର ଆଭୂଷଣ ଲାଗି ହେବାପରେ ପନ୍ତି ଭୋଗ କରାଯିବ । ତାଙ୍କ ପାଇଁ ବଟବୃକ୍ଷ ତଳେ ପାଲିଙ୍କି ଥିବ । ସେହି ବିମାନରେ ବସି ଘଣ୍ଟଛତା ପଟୁଆରରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ପ୍ରଥମେ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାରଠାରେ ଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିକଟରେ ଉପସ୍ଥିତ ହେବେ । ଆଡପ ମଣ୍ଡପରେ ଠାକୁରଙ୍କ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀଙ୍କର ନନ୍ଦିଘୋଷ ରଥ ନିକଟରେ କେତେକ ନୀତି ସମ୍ପନ୍ନ ହୁଏ । ଏଠାରେ ପତିମହାପାତ୍ର କାଠ ଘୋଡା ଉପରେ ଠିଆହୋଇ ପ୍ରସାଦଲାଗି, ଚାମର ଆଲଟ ଓ ବନ୍ଦାପନା ନୀତି ଆଦି ସମ୍ପାଦନ କରିବା ପରେ ଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ଵାର ନିକଟକୁ ମହାଲକ୍ଷ୍ମୀ ଯିବେ । ଜନ୍ମବେଦିରେ ବସିଥିବା ପ୍ରାଣପ୍ରିୟ ଜଗନ୍ନାଥଙ୍କୁ ଚାହିଁବେ । ସେହି ସମୟରେ ପତିମହାପାତ୍ର ସିଂହାସନକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଇଥାନ୍ତି । ପୂଜାପଣ୍ଡା ପୂଜା ସଋ ଧୂପ, ଦୀପ ଦେବା ପରେ ସଙ୍ଗେ ସଙ୍ଗେ କଳାହାଟ ଦ୍ଵାର ବନ୍ଦ ହୁଏ ଓ ଲକ୍ଷ୍ମୀ ରାଗ ଜର୍ଜରିତା ହୋଇ ନାକଚଣା ଦ୍ଵାର ଦେଇ ନନ୍ଦିଘୋଷ ରଥ ନିକଟକୁ ଆସିବେ । ସେଠାରେ ରଥର କାଠ ଖଣ୍ଡେ ଭାଙ୍ଗିଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଆସିବେ ।

Please follow and like us:
error
loading...