ଜଗନ୍ନାଥଙ୍କ ମାଉସୀ ମା କିଏ, ତାଙ୍କ ମନ୍ଦିର କେଉଁଠି

STATE

ମହାପ୍ରଭୁଙ୍କ ମାନବୀୟ ଲୀଳାରେ ରହିଛି ଶ୍ରୀଜଗନ୍ନାଥ ଓ ମା ଅର୍ଦ୍ଧଶୋଷିଣୀଙ୍କ ମଧ୍ୟରେ ଏକ ଅପୂର୍ବ ବାତ୍ସଲ୍ୟମମତାର ସମ୍ପର୍କ । ମାଉସୀ ମା ଅର୍ଦ୍ଧଶୋଷିଣୀଙ୍କୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମାଉସୀ ରୂପେ ଗ୍ରହଣ କରାଯାଏ । ବଡଶଙ୍ଖଠାରେ ଅତୀତରେ ଥିଲା ମାଳିନୀ ନଦୀ । ସେତେବେଳେ ଏ କୂଳରେ ଶ୍ରୀମନ୍ଦିର ନିକଟରୁ ତିନି ରଥ ଟଣା ହୋଇ ଆସି ଅଟକି ରହୁଥିଲା । ସେଠାରୁ ଡଙ୍ଗାରେ ବସି ଚତୁର୍ଦ୍ଧା ମୂର୍ତ୍ତି ଯାଉଥିଲେ ଆର କୁଳକୁ । ଆର କୂଳରେ ରହୁଥିଲା ଆଉ ତିନୋଟି ରଥ । ସେହି ରଥରେ ଶ୍ରୀଜୀଉମାନେ ଯାଉଥିଲେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ।

 ଥରେ ବର୍ଷାସମୟରେ ନଦୀ ବହୁତ ଫୁଲି ଯାଇଥିଲା । ଡଙ୍ଗାରେ ବସି ଆର କୁଳକୁ ଯିବା ଅସମ୍ଭବ ମନେ ହେଉଥିଲା । ଏହି ସମୟରେ ମାଉସୀ  ମା ଅର୍ଦ୍ଧଶୋଷିଣୀ ନଦୀର ଜଳର ଅର୍ଦ୍ଧେକ ଶୋଷି ନେଇଥିଲେ। ଫଳରେ ଡଙ୍ଗାରେ ବସି ଆର କୂଳକୁ ଯିବା ସମ୍ଭବ ହୋଇଥିଲା ।

 ବାହୁଡା ଯାତ୍ରା ଦିନ ମାଉସୀ ମା ଅପେକ୍ଷା କରି ରହିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ । ମାଉସୀଙ୍କ ହାତରୁ ଶ୍ରୀମନ୍ଦିର ଫେରିବା ବାଟରେ ପ୍ରିୟ ପୋଡପିଠା ଗ୍ରହଣ କରିଥାନ୍ତି ମହାପ୍ରଭୁ ।

ଏହି ମାଉସୀ ମାଙ୍କ ମନ୍ଦିର ବଳଗଣ୍ଡିଠୁ ଶ୍ରୀମନ୍ଦିର ଆଡକୁ ଅଳ୍ପ ଦୂରରେ ରାସ୍ତାରେ ପଡେ । ହେରା ପଞ୍ଚମୀ ଦିନ ଚୁଲି ନିର୍ମାଣ କରାଯାଇ ପରବର୍ତ୍ତୀ ଦିନଠାରୁ ପୋଡପିଠା ପ୍ରସ୍ତୁତି ଆରମ୍ଭ ହୁଏ। ବାହୁଡା ଯାତ୍ରା ଦିନ ପ୍ରତ୍ୟେକ ରଥ ଏଠାରେ ଅଟକେ । ତିନୋଟି କୁଡୁଆରେ ଥିବା ପୋଡପିଠା ମାଉସୀ ମା’ଙ୍କ ପାଖେ ଭୋଗ କରାଯାଇ ଆସୁଥିବା ପ୍ରତି ରଥରେ ରଥାରୂଢ ଠାକୁରଙ୍କୁ ସମର୍ପଣ କରାଯାଏ । ଏହି ଭୋଗକୁ ମଧ୍ୟ ସର୍ପମଣୋହୀ ଭୋଗ କୁହାଯାଏ ।

Please follow and like us:
error