ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮ର ଦ୍ଵିତୀୟ ସଂସ୍କରଣ

BUSINESS News STATE

ଭୁବନେଶ୍ୱର : ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଛି ମେକ୍‍ ଇନ ଓଡ଼ିଶା କନକ୍ଲେଭ-୨୦୧୮ କାର୍ଯ୍ୟକ୍ରମର ଦ୍ଵିତୀୟ ସଂସ୍କରଣ ।ଆଶା କରାଯାଉଛି ଯେ ଏହାର ପ୍ରଥମ ସଂସ୍କରଣର ସଫଳତା ପରେ ଦ୍ଵିତୀୟ ସଂସ୍କରଣ ମଧ୍ୟ ଓଡିଶା ପାଇଁ ନୂଆ ଗୌରବ ଆଣିବାରେ ସକ୍ଷମ ହେବ |ପ୍ରାୟ ୨୦୦୦ ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେବେ ଏବଂ ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି ଯୋଗଦେବାକୁ ସ୍ୱୀକୃତି ଦିଆଯାଇଛି ଏବଂ ତା ସହିତ ୫୦ଟି ଭାରତୀୟ ବୃହତ କମ୍ପାନୀ ଯୋଗ ଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ ବୋଲି କୁହାଯାଇଛି ।

ଶୁକ୍ରବାର ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କନକ୍ଲେଭର ପ୍ରମୁଖ ପ୍ରାୟୋଜକ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର (FICCI) ପ୍ରତିନିଧିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କନକ୍ଲେଭ ମାଧ୍ୟମରେ ଓଡିଶାରେ କିପରି ଅଧିକ ପୁଞ୍ଜିନିବେଶ ହୋଇପାରିବ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

(FICCI) ସେକ୍ରେଟାରୀ ଜେନେରାଲ ଦିଲୀପ ଚେନୟ ଏବଂ ଡେପୁଟି ସେକ୍ରେଟାରୀ ଜେନେରାଲ ଅରୁଣ ଚାୱଲା ଆଲୋଚନାରେ ଭାଗ ନେଇ କନକ୍ଲେଭରେ ଚୀନ, ଜାପାନ, ଜର୍ମାନ, ଇଟାଲୀ, ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରରୁ ଶିଳ୍ପ ପ୍ରତିନିଧି ଯୋଗଦେବେ ବୋଲି କହିଥିଲେ। ଏହି ବର୍ଷ ମୁଖ୍ୟତଃ ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ରସାୟନ, ଏରୋସ୍ପେସ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଶିଳ୍ପସଂସ୍ଥାର ଦୁଇ ହଜାରରୁ ଅଧିକ ପ୍ରତିନିଧିଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରାଯାଇଛି ।

ଉକ୍ତ ପ୍ରତିନିଧିମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ସୁଯୋଗ ଦେବା କାର୍ଯ୍ୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ମହୋଦୟ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ ସିଂହ କନକ୍ଲେଭର ଆୟୋଜନ ସମ୍ପର୍କରେ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ |

Please follow and like us:
error