ଶ୍ଵଶୁରର ଗୋଟିଏ ଟାଙ୍ଗିଆ ଚୋଟରେ ବୋହୂ ଶେଷ

CRIME

ଘଟଣାଟି ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବଡକୁରୁବାରା ଗ୍ରାମରେ । ଶ୍ଵଶୁର ଦୟାନିଧି ଆଉ ସହିପାରିଲେନି ବୋହୂର ଦିନ ଦିନ ଧରି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା । ଘଟଣା ପୂର୍ବଦିନ ରାତିରେ ସାନ ବୋହୂ ଶାନ୍ତି, ଶ୍ଵଶୁରଙ୍କ ସହ ପାଟିତୁଣ୍ଡ କରିଥିଲା, ବୃଦ୍ଧଙ୍କ ବାର୍ଦ୍ଧକ୍ୟ ଭତ୍ତା ହାତେଇବାକୁ । କେବଳ ସେହି ଗୋଟିଏ ଦିନ ନୁହେଁ, ବହୁବାର ପୂର୍ବରୁ ମଧ୍ୟ ଝଗଡା ଲାଗୁଥିଲା ସେହି ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କୁ ଦେଇଦେବା ପାଇଁ । କିନ୍ତୁ ଶ୍ଵଶୁର ଦୟାନିଧି ଚାହୁଁନଥିଲେ ସେହି ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କ ହାତକୁ ଦେଇଦେବାକୁ । ଭୟ ଥିଲା କାଳେ ସେମାନେ ନ ପଚାରିବେ, କାଳେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମୁଠାଏ ଖାଇବାକୁ ନ ଦେବେ । ତା ଛଡା ବୃଦ୍ଧ ଅବସ୍ଥାରେ ରୋଗ ବଇରାଗ ବି ଅଛି । ହାତରେ ଟଙ୍କା ଥିଲେ ସିନା ପିଲାମାନେ ଯଦି ନ ପଚାରନ୍ତି ତେବେ ନିଜ ପାଇଁ ଖର୍ଚ୍ଚ କରିପାରିବେ ।

ପରିବାରରେ ଦୟାନିଧି, ତାଙ୍କ ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୂ ଓ ଗୋଟେ ଦିବ୍ୟାଙ୍ଗ ଝିଅ । ଦୁଇ ପୁଅ ଆପୋଷରେ ଭାଗ ବାଣ୍ଟି ବାପା, ମା ଆଉ ଦିବ୍ୟାଙ୍ଗ ଭଉଣୀକୁ ଖାଇବାକୁ ଦିଅନ୍ତି । କିନ୍ତୁ ଦୁଇ ପୁଅ ଆଉ ବୋହୁଙ୍କ ନଜର ବୁଢା, ବୁଢୀଙ୍କ ଭତ୍ତା ଉପରେ । କିନ୍ତୁ ହାତ ଖାଲି କରିବାକୁ ବୁଢା, ବୁଢୀ ଦୁହେଁ ଚାହୁଁ ନଥିଲେ । ଏନେଇ ସବୁବେଳେ ଘରେ ଅଶାନ୍ତି ଲାଗିରହୁଥିଲା । ଘଟଣା ପୂର୍ବଦିନ ରାତିରେ ମଧ୍ୟ ବୋହୂ ଶାନ୍ତି, ଘରେ ଅଶାନ୍ତି ସୃଷ୍ଟି କରି ସେହି ଭତ୍ତା ଟଙ୍କା ଦିଅ ବୋଲି କଳି କରିଥିଲା । ପରଦିନ ସକାଳେ ଦୟାନିଧି ଯାଇଥିଲେ ବିଲକୁ । ବିଲରେ କାମ ସାରି ଘରକୁ ଫେରିବା ବେଳକୁ ସନବୋହୂ ଶାନ୍ତି ବାସନ ମାଜୁଥିଲା । ଶ୍ଵଶୁରଙ୍କୁ ଦେଖି ପୁଣି କଳି କରିବା ଆରମ୍ଭ କରିଦେଲା । ସହିବାର ସୀମା ଟପିଗଲା ଦୟାନିଧିଙ୍କର । ଆଉ ସେ ସହି ପାରିଲେନି । ଦୁଃଖରେ ଆଉ ରାଗରେ ସେ ଧରିଥିବା ଟାଙ୍ଗିଆରେ ଦେଲେ ବୋହୂ ମୁଣ୍ଡର ପଛପଟେ ଗୋଟାଏ ପାହାର । ବାସ, ବୋହୂ ଶେଷ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏକ ମାମଲା ରୁଜୁ କରି ଦୟାନିଧୀଙ୍କୁ ଅଟକ ରଖିଛି ଓ ଘଟଣା ନେଇ ପଚରା ଉଚୁରା କରୁଛି ।

Please follow and like us:
error