ଆଜି ବଡ ଭାଇ ଓ ଭଉଣୀଙ୍କ ରଥ ସହ ଯୋଗ ଦେଲେ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ

STATE

ଗତକାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଠିଆ ରହିଥିବା ରଥ ୩ଟିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଆଜ୍ଞାମାଳ ପଠାଇଲେ । ଏଥର ସେ ଫେରିବେ ରତ୍ନବେଦି, ଫେରିବେ ଶ୍ରୀମନ୍ଦିର । ମହାଲକ୍ଷ୍ମୀ କୋପ କରି ଯାଇଛନ୍ତି । ଆଉ ରହିବାଟା ବାଞ୍ଛନୀୟ ହେବନି ପ୍ରଭୁଙ୍କ ପକ୍ଷରେ । ବିବାହ ପରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଥିଲେ । ସୁସ୍ଥ ହେବା ପରେ ଆସିଲେ ଜନ୍ମସ୍ଥାନ ପରିଦର୍ଶନ କରିବାକୁ । ୭ଦିନ ରହି ସେ ଫେରିବେ ପୁଣି ଶ୍ରୀମନ୍ଦିର । ତେଣୁ ସାରଥି ପ୍ରସ୍ତୁତ ରହିବେ । ଘୋଡାଙ୍କୁ ପ୍ରସ୍ତୁତ କରାଯିବ । ହେଲେ ଠାକୁରଙ୍କ ବିଧି ଗତକାଲି ମନୁଷ୍ୟ ଇଚ୍ଛାରେ ସମ୍ପୂର୍ଣ ହୋଇପାରିନଥିଲା । ନୀତି ବିଳମ୍ବ ଯୋଗୁ ପ୍ରଥମେ ସୁଭଦ୍ରାଙ୍କ ରଥ ଓ ତାପରେ ବଳଭଦ୍ରଙ୍କ ରଥ ନାକଚଣା ଦ୍ଵାର ନିକଟକୁ ଟଣା ହେବା ପରେ ସନ୍ଧ୍ୟା ହୋଇଯିବାରୁ ଜଗନ୍ନାଥଙ୍କ ରଥ ଟଣା ଯାଇପାରିନଥିଲା ।

ଆଜି ସକାଳୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ନାକଚଣା ଦ୍ଵାର ସମ୍ମୁଖକୁ ନିଆଯାଇଥିଲା । ସକାଳେ ସାମାନ୍ୟ ବର୍ଷା ହେବା ସତ୍ତ୍ୱେ ଭକ୍ତମାନେ ଆନନ୍ଦରେ ରଥ ଟାଣି ଟାଣି ନେଇଥିଲେ । ତାଙ୍କ ପ୍ରିୟ ଠାକୁର ଯେତେବେଳେ ଫେରିବାକୁ ପ୍ରସ୍ତୁତ ହେଲେଣି, ତାହା ତ ଅତୀବ ଆନନ୍ଦର ବିଷୟ । ବାହୁଡା ଦିନ ରଥ ଟାଣି ସେମାନେ ନେବେ ସିଂହଦ୍ଵାର ସମ୍ମୁଖକୁ । ପରଦିନ ଦେଖିବେ ମହାପ୍ରଭୁମାନଙ୍କର ସୁନାବେଶ । ଚରମ ଚକ୍ଷୁ ପବିତ୍ର ହେବ । କୋଟି ଜନମର ପାପ ଧୌତ ହେବ ।

Please follow and like us:
error