ପୁରୀରେ ପିତୃପକ୍ଷ କିଭଳି ପାଳନ କରାଯାଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

MYTHOLOGY News Stay Focused

ପୁରୀ : ପୁରୀରେ ନିଆରା ଢଙ୍ଗରେ ପିତୃପକ୍ଷ ପାଳନ କରାଯାଏ । କଥାରେ ଅଛି ‘ଦେଶ କେ ଫାଙ୍କ, ନଈ କେ ବାଙ୍କ’। ଅର୍ଥାତ ବିଭିନ୍ନ ଅଞ୍ଚଳରେ ବିଶେଷ ବିଧି ବିଧାନ ଥାଏ ଯାହା କି ଗୋଟିଏ ଅଞ୍ଚଳଠାରୁ  ଆଉ ଅଞ୍ଚଳରେ ଭିନ୍ନ ।

           ଆଶ୍ଵିନ  ମାସ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପକ୍ଷକୁ କୁହାଯାଏ ପିତୃପକ୍ଷ । ବର୍ଷକ ମଧ୍ୟରେ ପିତୃପୁରୁଷଙ୍କୁ ସ୍ମରଣ କରିବା ପାଇଁ ଉଦ୍ଦିଷ୍ଟ ଏହି ପିତୃପକ୍ଷ । କାରଣ ବିଭିନ୍ନ କାର୍ଯ୍ୟ ପାଇଁ ତଥା ଦୈନନ୍ଦିନ ସାଂସାରିକ ଜଞ୍ଜାଳ ମଧ୍ୟରେ ମଣିଷ ପାଖରେ ସମୟର ଘୋର ଅଭାବ । ତେଣୁ ବୋଧହୁଏ ସେହି ଦୃଷ୍ଟିରୁ ବର୍ଷକରେ ଗୋଟିଏ ପକ୍ଷ ରଖାଯାଇଛି ପିତୃପୁରୁଷଙ୍କ ସ୍ମରଣ ଉଦ୍ଦେଶ୍ୟରେ ।

            ହେଲେ ଏହି ପିତୃପକ୍ଷ ପାଳନ ନେଇ ପୁରୀ ଓ ଏହାର ପଞ୍ଚକୋଶୀ ମଧ୍ୟରେ ଯେଉଁ ପ୍ରକାର ରୀତିନୀତି ଅଛି ତାହା ଅନ୍ୟାନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ ଭିନ୍ନ ।

        ଗତକାଲି ଭାଦ୍ରବ ପୁର୍ଣିମା ଥିଲେ ହେଁ ଆଶ୍ଵିନ ମାସର ପ୍ରତିପଦା ଲାଗୁ ଥିବାରୁ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ପିତୃପକ୍ଷ । ଏହି ପିତୃପକ୍ଷ ପୁରୀ ଓ ଏହାର ପଞ୍ଚକୋଶୀ ଅଞ୍ଚଳରେ ବିଶେଷ ଭାବରେ ପାଳନ କରାଯାଏ । ଏହି ସମୟରେ ଯିଏ କର୍ତ୍ତା ଅର୍ଥାତ ଯାହାଙ୍କର ପିତା ଇହଧାମରେ ନାହାନ୍ତି ଓ ଯିଏ ବଡପୁଅ,  ସେ ହିଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିଥାନ୍ତି ଓ ତିଳ ତର୍ପଣ ପୂର୍ବକ  ପିଣ୍ଡ ଦାନ କରିଥାନ୍ତି । ପିତାଙ୍କର ମୃତ୍ୟୁ ଦିବସର ତିଥି ଅନୁସାରେ ଏହି ପକ୍ଷର ସେହି ତିଥିରେ ଶ୍ରାଦ୍ଧ କର୍ମ କରାଯାଇଥାଏ । ଯିଏ ସେହି ତିଥିରେ କୌଣସି କାରଣରୁ  କରି ପାରନ୍ତି ନାହିଁ, ଅମାବାସ୍ୟା ଦିନ କରିଥାନ୍ତି । ଆଶ୍ଵିନ ମାସର ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ। ଏହି ଶ୍ରାଦ୍ଧ ଘରେ କରାଯାଏ । ଯଦି ଘରେ କୌଣସି କାରଣରୁ ନ କରିପାରନ୍ତି ତେବେ ତୀର୍ଥରାଜ ମହୋଦଧି, ଶ୍ଵେତଗଙ୍ଗା,ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ କିମ୍ବା  ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ତିଳତର୍ପଣ କରିଥାନ୍ତି । ଅନେକ ମଧ୍ୟ ଘରେ ନ କରି ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି । ଶେଷରେ ଦୀପାବଳି ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ‘ଅନ୍ଧାରେ ଆସି ଆଲୁଏ ଯାଅ’ କହି ବିଦାୟ ଦିଆଯାଇଥାଏ ।

            ତେବେ ଏହି ପିତୃପକ୍ଷରେ କେତେକ ବିଧି ସ୍ଵତନ୍ତ୍ର ଭାବେ ପୁରୀ ଓ ଏହାର ପଞ୍ଚକୋଶୀ ଲୋକେ ପାଳନ କରିଥାନ୍ତି । ଏହି ପକ୍ଷରେ କର୍ତ୍ତା(ଯିଏ ଶ୍ରାଦ୍ଧକର୍ମ କରିଥାଏ ବା ପିଣ୍ଡ ଦେଇଥାଏ) ସେ ନିଜ ଅଞ୍ଚଳ ଛାଡି ବାହାରକୁ ସାଧାରଣତଃ ଯାଆନ୍ତି ନାହିଁ । ଏହି ସମୟରେ ବାହାରେ କାହା ପାଗରେ ଖାଆନ୍ତି ନାହିଁ । ଏହି ପକ୍ଷରେ ଦାଢି, ନିଶ ଓ ନଖ କାଟନ୍ତି ନାହିଁ । ଯେହେତୁ କର୍ତ୍ତା ଏହି ନିୟମ ମାନନ୍ତି ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ପାଳନ କରନ୍ତି । ଅମାବାସ୍ୟା ଗଲେ ଆଉ ପାଳନ କରାଯାଏ ନାହିଁ ।

@OdishaInfocus News Desk

Please follow and like us: