ରଥରୁ ଶ୍ରୀଜଗନ୍ନାଥ ଓହ୍ଲାଇବା ଦେଖିଲେ ଲକ୍ଷ୍ମୀ, ହେଲେ ଦ୍ଵାର ନିକଟରେ ହେବ ଲକ୍ଷ୍ମୀ ନାରାୟଣ କଳି

STATE

ନୀଳାଦ୍ରି ବିଜେ ସମୟରେ ରଥାରୂଢ ସମସ୍ତ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ସବା ଶେଷରେ ଯାନ୍ତି କାଳିଆ ଠାକୁର । ହେତେବେଳେ ସେ ରଥ ଉପର ଛାଡି ଚରମାଳକୁ ପ୍ରଥମେ ଆସନ୍ତି ସେତେବେଳେ ମା ଲକ୍ଷ୍ମୀ ତାଙ୍କୁ ଚାହାଣି ମଣ୍ଡପରୁ ଦେଖନ୍ତି । ତାପରେ ମା ଲକ୍ଷ୍ମୀ ନିଶ୍ଚିତ ହୁଅନ୍ତି ଯେ ଶ୍ରୀଜଗନ୍ନାଥ ଏବେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ସେ ଆସି ଶ୍ରୀମନ୍ଦିର ମୁଖ୍ୟଦ୍ଵାର ନିକଟରେ ପହଞ୍ଚି ଯାଇ କବାଟ କିଳି ଦିଅନ୍ତି । ପହଣ୍ଡି ହୋଇ ଶ୍ରୀମନ୍ଦିର ଦ୍ଵାର ଦେଶରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ଅନୁରୋଧ କରନ୍ତି ଲକ୍ଷ୍ମୀଙ୍କୁ କବାଟ ଖୋଲିବାକୁ । ହେଲେ କ୍ରୋଧାନ୍ଵିତା ଲକ୍ଷ୍ମୀ କବାଟ ଖୋଲନ୍ତି ନାହିଁ । ସେଠାରେ ଦୁହିଙ୍କର କଳି ଲାଗେ ।

ଶ୍ରୀଜଗନ୍ନାଥ ଜୟବିଜୟ ଦ୍ଵାର ନିକଟରେ ପହଞ୍ଚିବା ସମୟରେ ଦ୍ଵାରକୁ ଭିତରପଟୁ ବନ୍ଦ କରିଦିଆଯାଏ । ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜଣେ ଦେବଦାସୀ ଦ୍ଵାରର ଭିତର ପଟେ ଓ ଜଗନ୍ନାଥଙ୍କ ତରଫରୁ ଯେ ଦଇତାପତି ଦ୍ଵାରର ଅପରପାର୍ଶ୍ଵରେ ରହି କଳି ଲାଗନ୍ତି । ତାପରେ ଜୟବିଜୟ ଦ୍ଵାର ଖୋଲାଯାଇ ଶ୍ରୀଜଗନ୍ନାଥ ଭଣ୍ଡାରଘର ସମ୍ମୁଖରେ ପହଞ୍ଚନ୍ତି। ସେଠାରେ ରୁକ୍ମଣୀଙ୍କ ସହ ବିବାହ ବେଳର ଗଇଁଠାଳ ଫିଟି ବନ୍ଦାପନା ଓ ରସଗୋଲା ଭୋଗ ହୁଏ ଆଦି ଭିତରଛ ମହାପାତ୍ରଙ୍କ ଦ୍ଵାରା କରାଯାଏ । ତାପରେ ଘସା ଓ ବିଡିଆ ମଣୋହି ସରି ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ।
         
ଏନେଇ ସ୍ଵତ୍ବଲିପିର ରାଗ ‘କେଦାର କମୋଦୀ’ରେ ରଚିତ ସପ୍ତଦଶ ଅଧ୍ୟାୟରେ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେଡ଼ ଚିତ୍ର ଅତ୍ୟନ୍ତ ମନୋରମ । ସ୍ଵତ୍ବଲିପିର ବର୍ଣନା ଅନୁସାରେ “ଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀ ଠାକୁରାଣୀ ମହାଜନଙ୍କ ହାତରେ ବିଜେ ହୋଇ ଦେବଦାସୀ ସହ ଭେଟ ମଣ୍ଡପଠାରେ ଖଟ ଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥାନ୍ତି । ରଥରେ ଠାକୁରଙ୍କ ବନ୍ଦାପନା ହେଲେ ଭିତରଛ ମହାପାତ୍ର ଏହାଙ୍କର ବନ୍ଦାପନା କରିଥାନ୍ତି । ଏହାକୁ ‘ଲକ୍ଷ୍ମୀ ନାରାୟଣଙ୍କର ଚତୁରକ୍ଷ ବା ଚାରିଚକ୍ଷୁର୍ମିଳନ ରୂପେ ଚିତ୍ରିତ କରିଛନ୍ତି ଲୋକନାଥ ବିଦ୍ୟାଧର ।

ଏହି ନୀତିରେ ଏକ ରୋଚକ ଅଧ୍ୟାୟ ହେଉଛି “ଲକ୍ଷ୍ମୀ ନାରାୟଣ ବଚନିକା’ବା ଲକ୍ଷ୍ମୀ ନାରାୟଣ କଳି । ଏହାପରେ ଶ୍ରୀଜଗନ୍ନାଥ ମହଲକ୍ଷ୍ମୀଙ୍କ ମାନଭଞ୍ଜନ ପୂର୍ବକ ରସଗୋଲା ପ୍ରଦାନ କରିଥାନ୍ତି । ତେଣୁ ଏହି ଗୋଟିଏ ଦିନ ଶ୍ରୀଜଗନ୍ନାଥଙ୍କ ନିକଟରେ ରସଗୋଲା ଭୋଗ ହୁଏ । ଏହି ପରମ୍ପରା ବହୁଦିନର ।

Please follow and like us:
error