ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିବା ପରେ ପଞ୍ଜାବରେ ୪ ହଜାର ଯବାନ ସର୍ଚ୍ଚ ଅପରେଶନ ଜାରି

NATIONAL

ପଠାନକୋଟ : ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଏଥିରେ ୪ ହଜାର ଯବାନ ସାମିଲ ହୋଇଛନ୍ତି। ଯବାନମାନେ ପଠାନକୋଟ, ଗୁରଦାସପୁର ଏବଂ ବଟାଲା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଏହି ୩ଟି ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପଠାନକୋଟରେ ଏସପି ପାହ୍ୟାର ୪୫ ଅଧିକାରୀ, ଗୁରଦାସପୁରରେ ୩୩ ଏବଂ ବଟାଲାରେ ୨୨ ଏସପି ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏମାନଙ୍କ ବ୍ୟତୀତ ବଟାଲାରେ ୫୦, ଗୁରଦାସପୁରରେ ୯୨ ଏବଂ ପଠାନକୋଟରେ ୧୩୦ ଡିଏସପି ପାହ୍ୟାର ଅଧିକାରୀ ମୁତୟନ ହୋଇଛନ୍ତି। ସୀମାନ୍ତ ଜିଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ଡ୍ରୋନ ଉଡ଼ାଣ ଏବଂ ସର୍ବସାଧାରଣ ସ୍ଥାନରେ ଅସ୍ତ୍ରଶସ୍ତ୍ର ଧରି ଯାତାୟାତ କରିବା ଉପରେ କଟକଣା ଲାଗୁ କରାଯାଇଛି। ସମସ୍ତ ଘର ମାଲିକମାନଙ୍କୁ ନିଜର ଭଡ଼ାଟିଆଙ୍କ ସମ୍ପୂର୍ଣ୍ଣ ବିବରଣୀ ଥାନାରେ ଦାଖଲ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, କିଛିଦିନ ଧରି ପଞ୍ଜାବର ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ବାରମ୍ବାର ପାକିସ୍ତାନୀ ଡ୍ରୋନ ଉଡ଼ିବା ଏବଂ ଡ୍ରୋନ ମାଧ୍ୟମରେ ପଞ୍ଜାବ ସୀମା ଭିତରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ନଜରକୁ ଆସିବା ପରଠାରୁ ପୁଲିସ ଏବଂ ଯବାନମାନେ ସତର୍କ ହୋଇପଡ଼ିଛନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କ ପକ୍ଷରୁ କୌଣସି ଆକ୍ରମଣ ପାଇଁ ଯୋଜନା କରାଯାଉଥିବା ନେଇ ମଧ୍ୟ ଗୁଇନ୍ଦା ସୂଚନା ମିଳିଛି।

Please follow and like us:
error