Puri

ଶ୍ରୀଦେବୀ ଥାଇ ବି ଶ୍ରୀମନ୍ଦିର ଶ୍ରୀହୀନ, ନାହିଁ ଗହଳି ଚହଳି

STATE

ମହାପ୍ରଭୁ ନାହାନ୍ତି । ନବଡିନାତ୍ମକ ଯାତ୍ରା କରିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତ ଜନ୍ମବେଦିକୁ । ତେଣୁ ଗୁଣ୍ଡିଚା ଯାତ୍ରାଠାରୁ ମହାପ୍ରଭୁଙ୍କ ରତ୍ନ ସିଂହାସନ ଏବେ ଖାଲି ପଡିଛି । ମନ୍ଦିର ଭିତରେ ଏକାକିନୀ ଏବେ ଶ୍ରୀ ଅର୍ଥାତ ମହାଲକ୍ଷ୍ମୀ । କିନ୍ତୁ ମନ୍ଦିରରେ ଶ୍ରୀ ଥିଲେ ବି ଶ୍ରୀହୀନ ଦିଶୁଚି ଶ୍ରୀମନ୍ଦିର ମହାପ୍ରଭୁଙ୍କ ଅବର୍ତ୍ତମାନରେ । ଆଉ ଆଗଭଳି ଗହଳି ଚହଳି ନାହିଁ । ରୁକ୍ମଣୀ (ଶ୍ରୀଦେବୀ) ହରଣ କରିବା ପରେ ବିବାହ ସମ୍ପନ୍ନ ହୋଇଥିଲା ରୁକ୍ମଣୀଙ୍କ ସହ, ହେଲେ ଭାଗ୍ୟର ବିଡମ୍ବନା ୧୦୮ ଗରା ଜଳରେ ମହାପ୍ରଭୁମାନେ ପ୍ରତ୍ୟେକ୍ଷ ସ୍ନାନ କଲା ପରେ ପଡିଲେ ଜ୍ୱରରେ । ପୁଣି ସୁସ୍ଥ ହେବା ପରେ ପରେ ଶ୍ରୀଜଗନ୍ନାଥ ତାଙ୍କର ଭାଇ ଭଉଣୀଙ୍କ ସହିତ ନବଡିନାତ୍ମକ ଯାତ୍ରାରେ ଗଲେ ଜନ୍ମବେଦୀକୁ । ଗଇଣ୍ଠାଳ ଫିଟିନି । ଚତୁର୍ଥୀ କର୍ମ ହୋଇନି କି ବନ୍ଦାପନା ମଧ୍ୟ ହେଇନି  । ସଦ୍ୟ ବିବାହିତା ରୁକ୍ମଣୀ ଏବେ ବିରହ ଜର୍ଜରିତା । ହେରାପଞ୍ଚମୀ ଦିନ ଯାଇଥିଲେ ପ୍ରାଣପ୍ରିୟଙ୍କୁ ଡାକିବାକୁ । ହେଲେ ସେ ମନା କରିଦେଲେ ଏବେ ଫେରିବାକୁ । କଅଣ ବା କରନ୍ତେ ସେ ! ଫେରିଆସିଲେ ମନ ଦୁଃଖରେ । ଯିବାବେଳେ ସ୍ଵାମୀ ତାଙ୍କର ଦେଇଯାଇଛନ୍ତି ନବ ଦିନ ପାଇଁ କଳମ ଶାଗ, ନଡିଆ ଓ ଚାଉଳ । ତାକୁ ଚାହିଁ ଦିନ କାଟୁଛନ୍ତି ଲକ୍ଷ୍ମୀ । ରୋଷେଇ କରିବାରେ ଆଗ୍ରହ ନାହିଁ । କାହାପାଇଁ ରାନ୍ଧିବେ ଯେ !

ଯିଏ ଏବେ ଶ୍ରୀମନ୍ଦିରକୁ ଯାଉଛନ୍ତି, ଦେଖୁଛନ୍ତି ଜଗମୋହନରେ ଅଛନ୍ତି ଶ୍ରୀଦେବୀ, ଭୂଦେବୀ ଓ ମାଧବଙ୍କୁ । ଆଉ ଦେଖୁଛନ୍ତି ଶ୍ରୀଜଗନ୍ନାଥ ଦେଇ ଯାଇଥିବା କଳମ ଶାଗ, ନଡିଆ ଓ ଚାଉଳ । ରୋଷଘରେ ଦେଖୁଛନ୍ତି ଗହଳ ଚହଳ ନାହିଁ । ରନ୍ଧାବଢା ନାହିଁ । ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର । ତେବେ ବଡ ଉତ୍କଣ୍ଠାର ସହିତ ଶ୍ରୀମନ୍ଦିର ଅନେଇଛି ମହାପ୍ରଭୁଙ୍କ ବାହୁଡାକୁ । ଅନେଇ ବସିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଦିବସକୁ ।

Please follow and like us:
error