ଭକ୍ତଙ୍କ ପାଇଁ ଶ୍ରୀପତିତପାବନ ହେବେ ଦୁର୍ଲ୍ଲଭ ନାଗାର୍ଜୁନ ବେଶ

STATE

ଆସନ୍ତା ନଭେମ୍ବର ୨୭ ତାରିଖ ଦିନ ପଡୁଛି ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ପଡୁଥିବାରୁ ଭକ୍ତମହଲରେ ଦର୍ଶନ କରିବା ନେଇ ଚିନ୍ତା ବଢିଯାଇଛି । ଶ୍ରୀମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହେଉନଥିବାରୁ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିପାରିବେ କି ନାହିଁ, ଚିନ୍ତାରେ ପଡିଛନ୍ତି । ରାଜ୍ୟ ତଥା ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କମିଯାଇଥିଲେ ହେଁ ଶ୍ରୀମନ୍ଦିର ସେବାୟତମାନେ ଅଡି ବସିଛନ୍ତି ଶ୍ରୀମନ୍ଦିର ନ ଖୋଲିବାକୁ । ବରଂ ସେମାନେ ଚାହୁଁଛନ୍ତି ସେମାନଙ୍କର କରୋନା ନେଇ ଅନୁଦାନ ବଢାଇ ଦିଆଯାଉ ଓ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲାଯାଉ । ଯେହେତୁ ବେଶ କାର୍ତ୍ତିକ ମାସ ପଞ୍ଚୁକରେ ହୋଇଥାଏ, ତେଣୁ କାର୍ତ୍ତିକ ମାସରେ ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦେଖିହେବନାହିଁ । ବିଡମ୍ବନାର ବିଷୟ ଏ ବର୍ଷ ନଦେଖିପାରିଲେ ଆଉ ନିକଟରେ ଦେଖିବାର ସମ୍ଭାବନା ନାହିଁ ।

ଏଭଳି ସ୍ଥିତିରେ ଭକ୍ତ ଚାହୁଁଛନ୍ତି ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଦେଖିବା ନହେଲେ ହେଉ ପଛେ ଶ୍ରୀପତିତପାବନଙ୍କୁ ନାଗାର୍ଜୁନ ବେଶ କରାଗଲେ ଭକ୍ତ ସିଂହଦ୍ଵାର ନିକଟରେ ଅରୁଣ ସ୍ତମ୍ଭ ପାଖରେ ଥାଇ ଦେଖିପାରିବେ । ସେବକମାନେ ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶ କରିବା ପରି ଶ୍ରୀପତିତପାବନଙ୍କୁ ନାଗାର୍ଜୁନ ବେଶ କରିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି । ତେଣୁ ଅରୁଣ ସ୍ତମ୍ଭ ନିକଟରୁ ବ୍ୟାରିକେଡ ଘୁଞ୍ଚାଇ ଦେଇ ଭକ୍ତ ନାଗାର୍ଜୁନ ବେଶ ଦେଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପଦକ୍ଷେପ ନେବାକୁ ଆଶା ରଖାଯାଉଛି ।

Please follow and like us: