ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ, ଶ୍ରୀଜଗନ୍ନାଥ ଗର୍ଭବତୀ ହୋଇଛନ୍ତି

STATE

କଥାଟା ଅଡୁଆ ଲାଗୁଥିଲେ ବି ସତ । ଶ୍ରୀଜଗନ୍ନାଥ ମା’ ବନିଛନ୍ତି । ବଡ ଅଦ୍ଭୁତ ଶ୍ରୀକ୍ଷେତ୍ର ଆଉ ବଡ ଅଦ୍ଭୁତ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳା । ସ୍ଵୟଂ ଶ୍ରୀଜଗନ୍ନାଥ ଯିଏ ନିଜେ ଅବତାରୀ ସେ ହୋଇଛନ୍ତି ଗର୍ଭବତୀ । ବଡ ଆଶ୍ଚର୍ଯ୍ୟ କଥା। ହଁ ଆଜ୍ଞା । କଥାଟା ବିଲକୁଲ ସତ୍ୟ । ସ୍ଵୟଂ ଜଗନ୍ନାଥ ସାଦ ଖାଇଛନ୍ତି ଓ ଆଜି ଗର୍ଭସ୍ଥ ସନ୍ତାନକୁ ଅର୍ଥାତ କୃଷ୍ଣଙ୍କୁ ଜନ୍ମ ଦେବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ବ ହୋଇଯାଇଛି ।

loading...

ଆଜି ହେଉଛି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଆଜିର ତିଥିରେ କାରାଗାରରେ ବସୁଦେବଙ୍କ ଔରସରୁ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ଗତ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ବେଳେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡି ଟେରା ବନ୍ଧା ହୋଇ ଜୟ ବିଜୟ ଦ୍ଵାର ବନ୍ଦ କରାଯାଇଥିଲା । ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିବା ଯେଉଡ ଭୋଗ ଅର୍ଥାତ ଶାଗ, ତରକାରୀ, ପିଠା, ଝିଲି, ଓରିଆ ଓ ଖିରୀ ଆଦି ପ୍ରସାଦ ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ । ୩ଜଣ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରି ୩ବାଡରେ ବନ୍ଦାପନା କରିଥିଲେ । କିନ୍ତୁ ଶ୍ରୀଜଗନ୍ନାଥଙ୍କ ଅଧିକ ଆଉ ଏକ ବନ୍ଦାପନା କରାଯାଇଥିଲା । ଏହି ବନ୍ଦାପନକୁ ଗର୍ଭ ଉଦକ ବନ୍ଦାପନା କୁହାଯାଏ ଯାହାକି ଗର୍ଭବତୀ ନାରୀଙ୍କୁ କରାଯାଇଥାଏ । ଶ୍ରୀଜଗନ୍ନାଥ ହୋଇଥିଲେ ଦେବକୀ । ଆଉ ସୁଖ ପ୍ରସବ ପାଇଁ ଖାଇଥିଲେ ଯେଉଡ ଭୋଗ ବା ଫଳ । ତାଙ୍କ ଗର୍ଭରେ ରହିଛନ୍ତି ଶ୍ରୀକୃଷ୍ଣ ଯିଏ ଆଜିର ତିଥିରେ କାରାଗାରରେ ଜନ୍ମ ନେବେ ।

ଆଜି ଦେବକୀ ରୂପରେ ଶ୍ରୀଜଗନ୍ନାଥ ଜନ୍ମ ଦେବେ ଶ୍ରୀକୃଷ୍ଣଙ୍କୁ । ସେଥିପାଇଁ ଆଜି ସାଧାରଣ ଦର୍ଶନ ବନ୍ଦ ରହିବ ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ । ଜୟ ବିଜୟ ଦ୍ଵାର ବନ୍ଦ କରାଯାଇ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ରହି ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ସମ୍ପନ୍ନ କରିବେ ।

ଏଭଳି ଲୀଳା ସାରା ପୃଥିବୀରେ ନାହିଁ । ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କୁହାଯାଏ, ନିଜେ ସେ ନିଜର ସ୍ରଷ୍ଟା । ସେ ହିଁ ନାରୀ, ସେ ହିଁ ପୁରୁଷ, ସେ ହିଁ ପ୍ରକୃତି । ଧନ୍ୟ ପ୍ରଭୁ ତୁମ ଲୀଳା !  ଧନ୍ୟ ତୁମର ମହିମା !

Please follow and like us:
error
loading...