ଘରେ ଲକଡାଉନ ଯୋଗୁ ବୋର ହେଉଛନ୍ତି କି ? ଆପଣାନ୍ତୁ ଏହି କେତୋଟି ଉପାୟ

ENTERTAINMENT

କରୋନା ଭୟଙ୍କର ରୂପ ଧରି ସାରା ବିଶ୍ଵକୁ ଗିଳି ଦେବାକୁ ବସିଛି । ଆଜିଯାଏଁ ଏହାକୁ ପ୍ରତିହତ କରିବାକୁ କୌଣସି ଟୀକା ବା ଔଷଧ ବାହାରିନାହିଁ । ତେଣୁ କେନ୍ଦ୍ର ସରକାର ଲକଡାଉନ ବ୍ୟବସ୍ଥା ଘୋଷଣା କରିଛନ୍ତି । କରୋନାଠାରୁ ବଞ୍ଚିବା ପାଇଁ ଆପଣଙ୍କ ପାଖରେ ମଧ୍ୟ ଅନ୍ୟ କିଛି ବିକଳ୍ପ ନାହି । ତେଣୁ ୨୧ ଦିନ ଆପଣଙ୍କୁ ଘରେ ରହିବାକୁ ପଡିବ । ହେଲେ ଏହି ସମୟରେ ଆପଣ କାମ ବନ୍ଦ କରି ଘରେ ରହୁଥିବାରୁ ନିଶ୍ଚିତ ଭାବେ ବୋର ହେଉଯାଉଥିବେ । କାରଣ ଯଦି ଆପଣ ଚାକିରିଆ ହୋଇଥାନ୍ତି, ତେବେ ଅଫିସରେ କାମ କରିବା ସହିତ ସହକର୍ମୀଙ୍କ ସହ ସମୟ କାଟୁଥିଲେ । ଯଦି ବ୍ୟବସାୟୀ ହୋଇଥାନ୍ତି, ତେବେ ବ୍ୟବସାୟ କଥା ବୁଝୁ ବୁଝୁ ସମୟ ଆପଣଙ୍କର ଚାଲିଯାଉଥିଲା । ଟିକେ ନିଃଶ୍ଵାସ ମାରିବାକୁ ସମୟ ମିଳୁନଥିଲା । ଏବେ କିନ୍ତୁ ପରିସ୍ଥିତି ଓଲଟା । ଏବେ ହାତରେ ସମୟ ହିଁ ସମୟ । ତେଣୁ ଏହି ସମୟରେ ଦିନ କେମିତି କାଟିବେ, ଆସନ୍ତୁ କିଛି ଉପାୟ କହୁଛୁ ।

ପ୍ରଥମେ ଆପଣଙ୍କ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ସେ ଆପଣଙ୍କୁ ଓ ପରିବାରକୁ ଆଜି ପର୍ଯ୍ୟନ୍ତ କରୋନା କବଳରୁ ବଞ୍ଚେଇ ରଖିଛନ୍ତି । ଦ୍ଵିତୀୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ସମୟର ଆବଶ୍ୟକତା ଦେଖି ଲକଡାଉନ ଦ୍ଵାରା ଆପଣଙ୍କୁ ସପରିବାର କରୋନାଠାରୁ ଦୂରେଇ ରଖିଛନ୍ତି । ତେଣୁ ଏହି ସମୟରେ ଆପଣ କିଛି ସମୟ ଠାକୁରଙ୍କ ଆରାଧନାରେ କାଟନ୍ତୁ । ଶାସ୍ତ୍ର, ପୁରାଣ ବା ଠାକୁରଙ୍କ କଥା ପଢି ଆପଣ କିଛି ସମୟ କାଟିପାରିବେ ।

ପୂର୍ବରୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଆପଣ, ଆପଣଙ୍କ ପରିବାର ସହ ଘନିଷ୍ଠ ଭାବେ ମିଶିପାରୁନଥିଲେ । ଏବେ ପରିବାରର ସମସ୍ତ ସଦସ୍ୟଙ୍କ ସହ କଥା ହୁଅନ୍ତୁ । ବୃଦ୍ଧ ପିତାମାତାଙ୍କ ସହ ବସି ସେମାନଙ୍କ ସମସ୍ୟା ବୁଝାନ୍ତୁ ଓ କଥା ବୁଝନ୍ତୁ । ନିଜର କାର୍ଯ୍ୟସ୍ଥଳୀର ଅନୁଭୂତି, ଛୋଟ ଛୋଟ ଘଟଣା ବା ପିଲାଦିନର କଥା ଗପନ୍ତୁ । ପରିବାରର ଅନ୍ୟମାନେ ବି ଆପଣ ଦେଖିବେ ସେମାନଙ୍କର ସ୍ମୃତି ବା ସେହିଭଳି ଅଙ୍ଗେନିଭା କଥା ନିଶ୍ଚୟ ସେୟାର କରିବେ । ସେପରି କିଛି ଇନଡୋର ଗେମ ଯଥା ଲୁଡୁ, କ୍ୟାରମ, ତାସ ଆଦି ଖେଳି ପାରନ୍ତି । ଏଥିରେ ବି ଆପଣଙ୍କ ସମୟ ଅନେକାଂଶ କଟିଯିବ ।

ପିଲାମାନଙ୍କୁ ଅଧିକ ସମୟ ଦିଅନ୍ତୁ । ସେମାନଙ୍କ ସହ ଖେଳନ୍ତୁ, ଗପନ୍ତୁ, କାହାଣୀ କୁହନ୍ତୁ ।ସେମାନଙ୍କୁ ମଧ୍ୟ କିଛି କହିବାକୁ ଦିଅନ୍ତୁ । ସେମାନଙ୍କ କଥା ମନ ଦେଇ ଶୁଣନ୍ତୁ । କୌଣସି ପଢା ବିଷୟରେ ମଧ୍ୟ ଆଲୋଚନା କରିପାରନ୍ତି । ଛୋଟ ଛୋଟ ଉପଦେଶ ଦେଇ ସେମାନଙ୍କର ନୈତିକତା ବଢାନ୍ତୁ । ଆପଣ ଯେହେତୁ ସାଙ୍ଗ ଭଳି ମିଶି ଉପଦେଶ ଦେବେ, ଦେଖିବେ ପିଲାମାନେ ସେକଥାକୁ ଗୁରୁତ୍ଵ ଦେବେ ।

ଯଦି ବିବାହିତ, ତେବେ ସ୍ଵାମୀ ସ୍ତ୍ରୀ ଏକାଠି ବସି କିଛି ନିରୋଳାରେ ଦୁଃଖସୁଖ ହୁଅନ୍ତୁ । ବିଭିନ୍ନ ବିଷୟରେ ଆଲୋଚନା କରନ୍ତୁ । ଘରର କାମ ଦୁହେଁ ମିଶି କରନ୍ତୁ । କିଛି ସମସ୍ୟା ଥିଲେ, ତାର ସମାଧାନର ରାସ୍ତା ଖୋଜନ୍ତୁ । ଏକାଠି ଖାନ୍ତୁ । କିନ୍ତୁ ଖାଦ୍ୟ ଖାଇବାରେ ସଂଯମ ରକ୍ଷା କରନ୍ତୁ । ପରସ୍ପରର ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୁଅନ୍ତୁ ।

ଘରର କିଛି କାମ ମଧ୍ୟ କରନ୍ତୁ, ସମୟ କଟିଯିବ । ଯେପରିକି ଆପଣ ଘରର କବାଟ, ଝରକା ଚୌକାଠ ସଫା କରିପାରିବେ । ଚୌକି ଟେବଲ, ଟିଭି, ୱାଶିଂ ମେସିନ, ଫ୍ରିଜ ଇତ୍ୟାଦି ସଫା କରିପାରିବେ । ଘର ଝଡାଝଡି ବି କରିପାରିବେ । ରୋଷେଇ ବହି ଦେଖି ନୂଆ ନୂଆ ରୋଷେଇ ଆଇଟେମ ବି କରିପାରିବେ । ରୋଷେଇରେ ଅନ୍ୟକୁ ସାହାଯ୍ୟ କରିପାରିବେ ।

ବିଭିନ୍ନ ପ୍ରକାର ବହି ଓ ପତ୍ରିକା ପଢି ମଧ୍ୟ ସମୟ କାଟିପାରିବେ । ମୋବାଇଲର ସାହାଯ୍ୟ ବି ନେଇ ଅନେକ , ଲେଖା ତଥା ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ତଥ୍ୟ ଅନୁସନ୍ଧାନ କରି ପଢିପାରିବେ । ଭିଡ଼ିଓ ଦେଖି ବା ସାଙ୍ଗସାଥିଙ୍କ ସହ ଚାଟିଙ୍ଗ କରି ସମୟ ଅତିବାହିତ କରିପାରିବେ । ଫୋନ କରି ମଧ୍ୟ କଥାବାର୍ତ୍ତାରେ କିଛି ସମୟ କାଟିପାରିବେ ।

ସବୁଠୁ ବଡ କଥା ହେଲା, ଲକ ଡାଉନକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ । କାରଣ ଏହା ସମୟରେ ଆବଶ୍ୟକତା । ସଚେତନତା ଓ ସାବଧାନତା ହିଁ ଆପଣଙ୍କୁ କରୋନାଠାରୁ ରକ୍ଷା କରିବ । ତେଣୁ ନିଜେ ନିୟମ ମାନନ୍ତୁ ଓ ଅନ୍ୟକୁ ବୁଝାନ୍ତୁ ।

Please follow and like us:
error