ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ହୁଏ ଅଧରପଣା ନୀତି, ହେଲେ ଜାଣନ୍ତୁ ପଣା ଓ ଅଧର ହାଣ୍ଡି ପ୍ରସ୍ତୁତି

STATE

ଆଜି ଶ୍ରୀଜୀଉମାନଙ୍କର ଅଧର ପଣା ନୀତି । ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଫେରିଯିବେ ଶ୍ରୀମନ୍ଦିରକୁ । ହେଲେ ସେ ଯିବା ପୂର୍ବରୁ ଅନେକ ଅଶରୀରୀ, ଚଣ୍ଡୀ, ଚାମୁଣ୍ଡା ଓ ଦେବାଦେବୀ ଅପେକ୍ଷା କରିଛନ୍ତି ମହାପ୍ରଭୁ ତାଙ୍କୁ କିଛି ଦେଇ କି ଯିବେ । ଅଶରୀରୀମାନଙ୍କର ମନ୍ଦିର ପ୍ରବେଶ ନାହିଁ । ତେଣୁ ସେମାନଙ୍କର ଆଶାକୁ କେମିତି ବ୍ୟର୍ଥ କରିବେ ଜଗତ ଠାକୁର! ସେ ତ ସମସ୍ତଙ୍କର । ତେଣୁ ମହାପ୍ରଭୁଙ୍କଠାରୁ କିଛି ପାଇବାକୁ ତୃଷାର୍ତ୍ତ ଅଛନ୍ତି ଅଶରୀରୀମାନେ ।
           
ସେହି ଉଦ୍ଦେଶ୍ୟରେ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଏ ଏକ ଲୀଳା ଠାକୁରଙ୍କର । ନିଜର ଅଧର ପର୍ଯ୍ୟନ୍ତ ଲମ୍ବ ମାଟିପାତ୍ରରେ ପ୍ରସ୍ତୁତ ପଣା ଭର୍ତ୍ତି କରାଯିବା ପରେ ଭୋଗ ହୋଇ ପ୍ରଭୁଙ୍କ ଆଜ୍ଞାରେ ମାଟିପାତ୍ରକୁ ବାଡେଇ ଢାଳି ଦିଆଯିବ ରଥ ଉପରେ। ଧାର ଧାର ହୋଇ ଏହି ବିଶେଷ ପଣା ରଥର ଚାରିପଟେ ତଳକୁ ବୋହି ଆସିବ ଆଉ ମନ ଆନନ୍ଦରେ ତାହାକୁ ପାଇ ଅଶରୀରୀମାନେ ତୃଷା ନିବାରଣ କରିବେ । ସେଥିଯୋଗୁ ଏ ପଣାରେ ମଣିଷର ଅଧିକାର ନାହିଁ ।

ଆଜି ରାତି ୮ଟା ସୁଦ୍ଧା ଅଧରପଣା ନୀତି ଅନୁଷ୍ଠିତ ହେବ । ତିନି ରଥରେ ଶ୍ରୀବିଗ୍ରହମାନଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ଅଧର ହାଣ୍ଡି ରଖାଯିବ । ପାଣିଆ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ଛାଉଣି ମଠ କୂଅରୁ ପାଣି ଆଣି ପିତ୍ତଳ ହଣ୍ଡାରେ ରଖିବେ । ସୁଆରମାନେ ଛାଚି, ସର, କଦଳୀ, ଛେନା, ଗୋଲମରୀଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପଣା ପ୍ରସ୍ତୁତ କରି ସେହି ଅଧର ହାଣ୍ଡିରେ ଢାଳିବେ। ଏହାପରେ ପ୍ରଭୁଙ୍କୁ ସମର୍ପଣ କରାଯାଇ ଅଧର ହାଣ୍ଡିକୁ ବାଡେଇ ଭାଙ୍ଗିଦିଆଯିବ ।

ତିନି ରଥରେ ଆଜି ୩ଟି କରି ସମୁଦାୟ ୯ଟି ଅଧରପଣା ମାଟି ହାଣ୍ଡି ମହାପ୍ରଭୁଙ୍କ ସମ୍ମୁଖରେ ରଖାଯିବ । ଏହି ହାଣ୍ଡିର ଲମ୍ବ ପ୍ରାୟ ରଥରେ ବିଜେ କରିଥିବା ଠାକୁରଙ୍କ ଅଧର ପର୍ଯ୍ୟନ୍ତ । ପ୍ରତି ହାଣ୍ଡି ୩ରୁ ୪ବସ୍ତା ମାଟିରେ ଏକ ବସ୍ତା ବାଲିର ମିଶ୍ରଣରେ ପ୍ରସ୍ତୁତ । ପ୍ରଥମେ ମିଶ୍ରିତ ମାଟି ଓ ବାଲିକୁ ଗୁଣ୍ଡ କରି ଛୋଟ ଛୋଟ ଇଟା ଓ ପଥର ଖଣ୍ଡ , ଗୋଡି ଆଦି ବାଛି ଚଳାଇ ପାଣିରେ ଚକଟା ଯାଏ । ତାପରେ କୁମ୍ଭାର ଚକରେ ଲମ୍ବା ଆକାରରେ ବାଇହାଣ୍ଡିଠାରୁ ବଡ କରି ଗଢି ଖରାରେ ଶୁଖାଯାଏ । ଦୁଇ ତିନି ଦିନ ପରେ ବାଡେଇ ଆକାର ଦିଆଯାଏ । ଏହା ଶୁଖିଲା ପରେ ଏହାର ଉଚ୍ଚତା ୪ଫୁଟ ଓ ମୋଟେଇ ସାଢେ ୪ଫୁଟ ହୋଇଥାଏ । ଏହାକୁ ବଡ ଓଡିଆ ମଠ କୁମ୍ଭାର ଦ୍ଵାରା କରେଇ ଶ୍ରୀମନ୍ଦିରକୁ ଯୋଗାଇଥାଏ । କୁମ୍ଭାର ଦ୍ଵାରା ଏହାର ନିର୍ମାଣ ଅକ୍ଷୟ ତୃତୀୟା ପରଠୁ ଆରମ୍ଭ ହୁଏ । ଏହା ନିଷ୍ଠାର ସହ କରାଯାଏ । ସ୍ତ୍ରୀଲୋକ ଏହାକୁ ଛୁଅନ୍ତି ନାହିଁ । ଯିଏ କରେ ନିଷ୍ଠାର ସହ କରିବା ସହ ଆମିଷଠାରୁ ଦୂରେଇ ରୁହେ ।

Please follow and like us:
error