ଆଜି ୩ ରଥର ଦକ୍ଷିଣୀ ମୋଡ, ପ୍ରଥମେ ଟଣା ହେବ ଦେବଦଳନ

STATE

ଆଜି ଶ୍ରୀକ୍ଷେତ୍ରରେ ହେବ ତିନି ରଥର ଶରଧାବାଲିରେ ଦକ୍ଷିଣୀ ମୋଡ । ଗତକାଲି ମହାଲକ୍ଷ୍ମୀ ଜଗନାଥଙ୍କୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ଫେରିଯିବାକୁ । କାରଣ ରୁକ୍ମୁଣୀରୂପୀ ମହାଲକ୍ଷ୍ମୀଙ୍କୁ ବିବାହ ପରେ ଗଇଁଠାଳ ଫିଟି ନଥିଲା। ପ୍ରଭୁ ସ୍ନାନ ବେଦି ଉପରେ ସ୍ନାନ କରି ଅସୁସ୍ଥ ହୋଇପଡିଥିଲେ । ଆଉ ସୁସ୍ଥ ହେବା ପରେ ଚାଲିଆସିଲେ ଜନ୍ମସ୍ଥାନ ପରିଦର୍ଶନ କରିବାକୁ । ବିବାହ ପର ଚତୁର୍ଥୀ ବି ହୋଇପାରିନଥିଲା । ହେଲେ ମହାଲକ୍ଷ୍ମୀଙ୍କ ଶ୍ରୀମନ୍ଦିର ଫେରିବା ପ୍ରସ୍ତାବକୁ  ପ୍ରଭୁ ଅସ୍ଵୀକାର କରିଥିଲେ । ରାଗରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ଦେଇ ଚାଲିଯାଇଥିଲେ । ଏହା ଜାଣି ପରି ଅନ୍ତର୍ଯ୍ୟାମୀ ଜଗନ୍ନାଥ ଦଶମୀ ଦିନ ଶ୍ରୀମନ୍ଦିର ବାହୁଡିବାକୁ ଚିନ୍ତା କରି ରଥ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ।

ତେଣୁ ଶ୍ରୀମନ୍ଦିର ଫେରିବାକୁ ଆଜି ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ନନ୍ଦିଘୋଷ ରଥରେ ଯୋଚା ହେବ ଶ୍ଵେତ ରଙ୍ଗର ଶଙ୍ଖ,ବଳାହକ,ଶ୍ଵେତ ଓ ହରିଦାଶ୍ଵ ନାମକ ଚାରି ଅଣ୍ଡିରା ଅଶ୍ଵ,ଦର୍ପଦଳନ ରଥରେ କସାରା ରଙ୍ଗର ରୋଚିକା, ମୋଚିକା, ଜିତା ଓ ଅପରାଜିତା ନାମକ ଚାରି ମାଈ ଅଶ୍ଵ ଓ ତାଳଧ୍ୱଜ ରଥରେ କଳା ରଙ୍ଗର ତୀବ୍ର, ଘୋର, ଦୀର୍ଘ ଓ ସ୍ବର୍ଣନାଭ ନାମକ ଚାରି ଅଣ୍ଡିରା ଅଶ୍ଵ । ରଥଚାଳନା ଓ ଘୋଡାର ନିୟନ୍ତ୍ରକ ସାରଥିମାନେ ହେଲେ ତାଳଧ୍ଵଜ ରଥର ମାତଳୀ, ନନ୍ଦିଘୋଷ ରଥର ଦାରୁକ ଓ ଦର୍ପଦଳନ ରଥର ଅର୍ଜ୍ଜୁନ । ସାରଥିମାନେ ଅଶ୍ଵ ଯୋଚି ରଥକୁ ଯାତ୍ରା ନିମନ୍ତେ ପ୍ରସ୍ତୁତ କରିବେ ।

ତିନି ରଥ ବର୍ତ୍ତମାନ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିରକୁ ମୁହଁ କରି । ଦକ୍ଷିଣ ମୋଡରେ ପ୍ରଥମେ ସୁଭଦ୍ରାଙ୍କ ରଥ ଓ ପରେ ପରେ ବଳଭଦ୍ରଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥ ସକାଳ ଧୂପ ନୀତି ପରେ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରର ଅପର ଦ୍ଵାର ଯାହାକୁ କି ନାକଚଣା ଦ୍ଵାର କୁହାଯାଏ, ସେପଟକୁ ନିଆଯିବ । ଫଳରେ ରଥର ସମ୍ମୁଖ ଭାଗ  ଶ୍ରୀମନ୍ଦିର ଦିଗକୁ ରହିବ ।

Please follow and like us:
error