ଶ୍ରୀଜୀଉମାନଙ୍କର ଆଜି ରଥ ଉପରେ ସୁନାବେଶ

STATE

ଆଜି ଶ୍ରୀଜୀଉମାନଙ୍କର ସୁନାବେଶ ବା ବଡତଢାଉ ବେଶ । ପରମ୍ପରା ଅନୁସାରେ ବର୍ଷକୁ ୫ଥର ସୁନାବେଶ ହୁଏ । କେବଳ ଗୁଣ୍ଡିଚା ମନ୍ଦିରରୁ ବାହୁଡିବା ପରେ ଆଜିର ଏହି ହରିଶୟନ ଏକାଦଶୀରେ ରଥ ଉପରେ ସୁନାବେଶ ହେଉଥିବା ବେଳେ ଅନ୍ୟ ୪ଥର ଶ୍ରୀମନ୍ଦିର ମଧ୍ୟରେ ରତ୍ନ ବେଦି ଉପରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ରତ୍ନବେଦିରେ ହେଉଥିବା ଅନ୍ୟ ୪ ଦିନ ହେଲା, ଆଶ୍ଵିନ ଶୁକ୍ଳ ଦଶମୀ ଅର୍ଥାତ ଦଶହରା, କାର୍ତ୍ତିକ ପୁର୍ଣିମା, ପୌଷ ପୁର୍ଣିମା ଓ ଦୋଳ ପୁର୍ଣିମା । କିନ୍ତୁ ଆଜିର ସୁନା ବେଶ ବିଶେଷ ମହତ୍ତ୍ଵ ରଖିଥାଏ । କାରଣ ଆଜି ମହାପ୍ରଭୂମାନଙ୍କର ଏହି ବିରଳ ସୁନାବେଶ ଜାତି ଧର୍ମ ବର୍ଣ ଲିଙ୍ଗ ନିର୍ବିଶେଷରେ ସମସ୍ତେ ଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରିଥାନ୍ତି ।

ଏହି ବେଶ ଯଦିଓ ହରିଶୟନ ଏକାଦଶୀ ଦିନ କରାଯାଏ, ଗତକାଲି ବାହୁଡା ଦଶମୀ ଓ ହରିଶୟନ ଏକାଦଶୀ ଏକଦିନରେ ପଡୁଥିବାରୁ ଆଜି ମହାପ୍ରଭୁଙ୍କ ଭକ୍ତ ତଥା ବାହନ ଗରୁଡ ଶୟନ ଦ୍ଵାଦଶୀ ତିଥିରେ ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହେଉଛି । ଆଉ ଏକ କାରଣ ମଧ୍ୟ ହେଉଛି ବାହୁଡା ପରଦିନ ଏହି ବେଶ କରାଯାଇଥାଏ । ଗତକାଲି ଥିଲା ଆଷାଢ ମାସ କୃଷ୍ଣ ପକ୍ଷ ଏକାଦଶୀ । ଏହି ଏକାଦଶୀକୁ ହରିଶୟନ ଏକାଦଶୀ କହିବାର କାରଣ ନବଦିନ ଯାତ୍ରା ପରେ  କାଲି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ମହାପ୍ରଭୁ କ୍ଳାନ୍ତ ଶ୍ରାନ୍ତ ହୋଇପଡିଛନ୍ତି । ଆଖି ବୁଜି ହୋଇ ଆସୁଛି । ମନ ଚାହୁଁଛି ଟିକେ ବିଶ୍ରାମ । ହେଲେ କେମିତି ? ଶ୍ରୀମନ୍ଦିରକୁ ବିଜେ କଲେ ସିନା ।

ଏହି ବେଶ ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ହୋଇଆସୁଛି । ସେ ରାଜ୍ୟ ଜୟ କରି ଆଣିଥିବା ସୁନା ପ୍ରଭୁଙ୍କୁ ସମପର୍ଣ କରିବା ପୂର୍ବକ ଚାହିଁଥିଲେ ଏହା ପ୍ରଭୁ ଭୂଷିତ ହୁଅନ୍ତୁ ।

ଏହି ବେଶରେ ରତ୍ନଭଣ୍ଡାରରୁ ମହଣ ମହଣ ସୁନା ଓ ରୂପା ଅଳଙ୍କାର ଆସି ରଥାରୂଢ ମହାପ୍ରଭୂମାନଙ୍କୁ ଭୂଷିତ କରାଯାଏ । ଏହି ଆଭୂଷଣ ମଧ୍ୟରେ ଶ୍ରୀଭୂଜ, ଶ୍ରୀପୟର, ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମକୁଟ, ପଦ ପଲ୍ଲବ, ମୁଦି, କଣ୍ଠି ମାଳ, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତ, ବହାଡାମାଳି, ତାବିଜମାଳି, ହଳଭୂଷଣ, ଚକ୍ର, ତିଳକ, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡିଆଣୀ, ଚନ୍ଦ୍ରିକା, ଜରକବର ଓ କଟି ମେଖଳା ଆଦି ୧୩୮ ପ୍ରକାରର ରତ୍ନ ଅଳଙ୍କାର ରହିଛି । ଦିନ ୪ଟାରୁ ଏହି ବେଶ ଆରମ୍ଭ ହେବ । ଭକ୍ତ ମହାପ୍ରଭୂମାନଙ୍କୁ ସନ୍ଧ୍ୟା ୫ଟାରୁ ରାତି ୧୧ଟା ମଧ୍ୟରେ ଦର୍ଶନ କରିପାରିବେ । ରାତି ୧୧ଟାରେ ବେଶ ଓଲାଗି ହେବ । ତେବେ ଭକ୍ତଙ୍କ ଦର୍ଶନ ପାଇଁ ଏହି ସମୟ ବୃଦ୍ଧି କରାଯାଇପାରେ ।

ମହାପ୍ରଭୂମାନଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବାକୁ ୧୦ ଲକ୍ଷ ଲୋଙ୍କର ସମାଗମ ହେବ ବୋଲି ଅନୁମାନ । ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ପ୍ରତି ବିଶେଷ ନଜର ଦିଆଯାଇଛି । ସେହିପରି ଟ୍ରାଫିକ ବ୍ୟବସ୍ଥା ପ୍ରତି ମଧ୍ୟ ତୀକ୍ଷଣ ନଜର ରଖାଯାଇଛି ।

Please follow and like us:
error