ଆଜି ମହାପ୍ରଭୁଙ୍କ ନବଡିନାତ୍ମକ ଯାତ୍ରାର ଅନ୍ତିମ ଦିନ, ବାହୁଡା ଯାତ୍ରା   

STATE

ଆଜି ପବିତ୍ର ବାହୁଡା ଦଶମୀ । ଦୀର୍ଘ ନଅ ଦିନ ଧରି ଚାଲିଥିବା ଯାତ୍ରାର ଆଜି ଶେଷ ଦିନ । ଆଜି ପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ ରତ୍ନବେଦି ଅଭିମୁଖେ । ମହାଲକ୍ଷ୍ମୀ ରାଗିକରି ଯାଇଛନ୍ତି । ତାଙ୍କୁ ପୁଣି ମନାଇବାକୁ ପଡିବ । ଆଉ ଡେରି କରିବାକୁ ହେବ ନାହିଁ । ପୁଣି ଭାଇ ଓ ଭଉଣୀଙ୍କୁ ନେଇ ପ୍ରଭୁ ବାହାରିଛନ୍ତି ବାହୁଡା ଯାତ୍ରାରେ ।

ସକାଳୁ ସକାଳୁ ଆଜି ପାଗ ଭଲ ରହିଛି । ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି । ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ନୀତି ଅନୁଷ୍ଠିତ ହୋଇସାରିଛି । ମଙ୍ଗଳ ଆଳତି,ମଇଲମ, ତଡପ ଲାଗି ହୋଇ ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ଓ ପରେ ପରେ ଦ୍ଵାରପାଳ ପୂଜା ବିଧି ମୁତାବକ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସରିଛି । ସକାଳ ଧୂପ ହୋଇ ଖେଚୁଡି ଭୋଗ ଲାଗି ସାରିଲାପରେ ଆରମ୍ଭ ହୋଇଛି ପହଣ୍ଡି । ଗୋଟି ପହଣ୍ଡିରେ ମହାପ୍ରଭୁମାନେ ବିଜେ କରିଛନ୍ତି ନାକଚଣା ଦ୍ଵାର ସମ୍ମୁଖରେ ଲାଗିଥିବା ତିନି ରଥ ଉପରକୁ । ଛେରା ପହଁରା ନୀତି ସମାପ୍ତ ହୋଇଛି । ଏବେ ପ୍ରାୟ ୪ଟା ବେଳକୁ ରଥ ଟଣା ହେବ ବୋଲି ସ୍ଥିର ହୋଇଛି । ରଥ ଟାଣିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି ପୁରୀରେ । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ୧୫୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Please follow and like us:
error