ମହାନଦୀ ଜଳ ବିବାଦ : ବୁଝାମଣା ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

NATIONAL STATE


ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି। ଆସନ୍ତା ମାର୍ଚ୍ଚ ୯ ତାରିଖରେ ରାୟ ଶୁଣାଇବେ। ଏହା ସହିତ ଆସନ୍ତା ଦୁଇ ସପ୍ତାହ ଭିତରେ ମହାନଦୀରେ ଜଳପ୍ରବାହ ଓ ଜଳହ୍ରାସ ସ୍ଥିତି ସମ୍ପର୍କରେ ସଠିକ୍ ବିବରଣୀ ଦାଖଲ କରିବାକୁ ଟ୍ରିବ୍ୟୁନାଲ ଖଣ୍ଡପୀଠ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରିବ୍ୟୁନାଲରେ ଶୁଣାଣି ସମୟରେ ଅଣମୌସୁମୀ ଋତୁରେ ଓଡ଼ିଶା ପଟକୁ ଛତିଶଗଡ଼ ୧.୭୪ ନିୟୁତ ଏକର ଫୁଟ ମହାନଦୀ ଜଳ ଛାଡ଼ିବା ନେଇ ସୁନିଶ୍ଚିତ କରିବାକୁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିଲା। ଏ ଦିଗରେ ଉଭୟ ପକ୍ଷ ଆପୋସ ଆଲୋଚନା କରି ରାସ୍ତା ବାହାର କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି। ଯଦି ଆପୋସ ଆଲୋଚନା ବିଫଳ ହୁଏ, ତା ହେଲେ ମାର୍ଚ୍ଚ ୯ ତାରିଖରେ ଏ ନେଇ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବେ ବୋଲି ଶନିବାର ଶୁଣାଣି ବେଳେ ଟ୍ରିବ୍ୟୁନାଲ ସ୍ପଷ୍ଟ କରିଦେଇଛନ୍ତି। ଏହାସହିତ ସେହିଦିନ ମଧ୍ୟବର୍ତ୍ତୀକାଳୀନ ରାୟ ଦେବା ବେଳେ ମୂଳ ଆବେଦନର ଶୁଣାଣି ହେବ।
ମହାନଦୀ ଜଳବିବାଦ ମାମଲାକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶନିବାର ଟ୍ରିବ୍ୟୁନାଲରେ ପାଖାପାଖି ୫ ଘଣ୍ଟା ଧରି ଶୁଣାଣି ହୋଇଥିଲା। ଓଡ଼ିଶା ପକ୍ଷରୁ ଦୁଇଜଣ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ମୋହନ ବି କାଟାର୍କି ଯୁକ୍ତି ଉପସ୍ଥାପନ କରିଥିଲେ। ଓଡ଼ିଶା ପକ୍ଷରୁ ଏକ ମ୍ୟାପ୍ ଜରିଆରେ ମହାନଦୀର ଟପୋଗ୍ରାଫି ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯାଇ ଛତିଶଗଡ଼ ଦ୍ବାରା କିଭଳି ବେଆଇନ ଭାବେ ବିଭିନ୍ନ ସ୍ଥାନରେ ବ୍ୟାରେଜ୍ ନିର୍ମାଣ କରାଯାଇଛି ସେ ନେଇ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀ ରୋହତଗୀ ଯୁକ୍ତି କରିଥିଲେ, ମହାନଦୀର ଜଳ ଉପଯୋଗକୁ ନେଇ ଅତୀତରେ ଯେଉଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଓଡ଼ିଶାକୁ ୧୨.୨୮ ଏମଏଏଫର ଜଳ ଦେବାକୁ ବ୍ୟବସ୍ଥା ହୋଇଥିଲା। ଅଥଚ ୨୦୦୫ରୁ ୨୦୧୬ ପର‌୍ୟ୍ୟନ୍ତ ଓଡ଼ିଶାକୁ ମହାନଦୀ ଜଳ ପ୍ରବାହର ପରିମାଣ ହ୍ରାସ ପାଇଛି। ଏହି ବର୍ଷ ଭିତରେ ରାଜ୍ୟକୁ ମାତ୍ର ୧.୨ ଏମଏଏଫ ଜଳ ମିଳିଛି। କ୍ରମାଗତ ଭାବେ ୨୦୧୭ ଓ ୨୦୧୮ରେ ଅଣମୌସୁମୀରେ ଜଳ ପ୍ରବାହ ଆହୁରି କମିକମି ଯାଇଛି।

ଓଡ଼ିଶା ପକ୍ଷରୁ ଯୁକ୍ତି ଶୁୁଣିବା ପରେ ଖଣ୍ଡପୀଠ କହିଥିଲେ, ଯଦି ଛତିଶଗଡ଼ ଦ୍ବାରା ବ୍ୟାରେଜ୍ ନିର୍ମାଣ ଯାଗୁଁ ଜଳ ପ୍ରବାହ କମିଛି ତା’ହେଲେ ଏସବୁ ବିଷୟ ଟ୍ରିବ୍ୟୁନାଲ ତର୍ଜମା କରିବେ। ଛତିଶଗଡ଼ ଓକିଲଙ୍କୁ ପ୍ରଶ୍ନ କରି ଖଣ୍ଡପୀଠ କହିଥିଲେ, ମହାନଦୀର ଉପରମୁଣ୍ଡରେ କେତୋଟି ବଡ଼ ବ୍ୟାରେଜ ନିର୍ମାଣ କରାଯାଉଛି ଓ ବର୍ତ୍ତମାନ ସେସବୁର ସ୍ଥିତି କଣ ?
ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଛତିଶଗଡ଼ ଓକିଲ କହିଥିଲେ, ୨୦୧୦ରୁ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ୍ ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା କଲମା, ସାରଡିହି, ବସନ୍ତପୁର ଓ ମିରୋନୀ ବ୍ୟାରେଜ୍ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ପକ୍ଷରୁ ଯେଉଁସବୁ ଯୁକ୍ତିଗୁଡ଼ିକ ଖଣ୍ଡପୀଠରେ ଉପସ୍ଥାପନ କରାଯାଇଥିଲା, ସେସବୁ ଦୃଢ଼ଭାବେ ଛତିଶଗଡ଼ ଖଣ୍ଡନ କରିଥିଲା। ଛତିଶଗଡ଼ ଓକିଲ କହିଥିଲେ ଯଦି ଛତିଶଗଡ଼ ସରକାରଙ୍କ ଦ୍ବାରା ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାରେ ଜଳ ପ୍ରବାହ କମିଛି ତାହେଲେ ଓଡ଼ିଶା ସରକାର ୬୧ଟି ଔଦ୍ୟୋଗିକ ପ୍ରକଳ୍ପ ପାଇଁ କିପରି ମହାନଦୀର ଜଳକୁ ଉପଯୋଗ କରୁଛନ୍ତି ତାର ଉତ୍ତର ରଖିବା ଦରକାର। ମହାନଦୀ ଚିରସ୍ଥାୟୀ ନଦୀ ନୁହେଁ, ସେଥିପାଇଁ ଜଳପ୍ରବାହ ହ୍ରାସ ପାଇବା ସ୍ବାଭାବିକ। ଜଳ ପ୍ରବାହ ହ୍ରାସ ନେଇ ଓଡ଼ିଶା ଯେଉଁ ତଥ୍ୟ ଦେଇଛି ତାହା ଭୁଲ ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ ଛତିଶଗଡ଼ କରିଥିଲା। ଉଭୟ ରାଜ୍ୟର ଜଳ ପ୍ରବାହ ତଥ୍ୟକୁ ନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ।
ଶୁଣାଣି ସମୟରେ ଉଭୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନକୁ ନେଇ ଦିଲ୍ଲୀରେ ଆଲୋଚନା କରାଯିବ ବୋଲି ଖଣ୍ଡପୀଠକୁ ଅବଗତ କରାଯାଇଥିଲା। ଶନିବାର ମହାନଦୀ ଜଳ ବିବାଦ ଶୁଣାଣି ବେଳେ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ଝାଡ଼ଖଣ୍ଡ ସରକାରଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

Please follow and like us: