ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

INTERNATIONAL

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ଭାରତ ଗସ୍ତରେ ଆଗାମୀ ମାସରେ ଭାରତ ଆସି ପାରନ୍ତି। ଜଣେ ଅଧିକାରୀ ବ୍ଲୁମର୍ଗକୁ ଦେଇଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଫେବୃଆରୀରେ ଭାରତ ଆସିବା ନେଇ ବିଚାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ଗତ ବର୍ଷ ଟ୍ରମ୍ପଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲା, ମାତ୍ର ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତ କରିପାରିନଥିଲେ।

ଦୁଇ ଦେଶ ଏବେ ଟ୍ରମ୍ପଙ୍କ ଗସ୍ତ ନେଇ ରୂପରେଖ ପ୍ରସ୍ତୁତିରେ ଜୁଟିଛନ୍ତି। ଜଣେ ବରିଷ୍ଠ ଭାରତୀୟ ଅଧିକାରୀ ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗସ୍ତ ପାଇଁ ଦୁଇ ଦେଶ ଦୃଷ୍ଟିରୁ ସୁବିଧାଜନକ ତାରିଖ ସ୍ଥିର କରାଯାଉଛି।

‘ଦ ହିନ୍ଦୁ’ ଖବର କାଗଜର ସୂତ୍ର ଅନୁଯାୟୀ, ଟ୍ରମ୍ପ ଓ ମୋଦୀ ଦୀର୍ଘ ସମୟ ଧରି ପଡ଼ି ରହିଥିବା ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତି ବ୍ୟତୀତ ସିଭିଲ ଏଭିଏସନ ସମ୍ବନ୍ଧିତ ରାଜିନାମା ଉପରେ ମଧ୍ୟ ଦସ୍ତଖତ କରି ପାରନ୍ତି। ଟ୍ରମ୍ପଙ୍କ ଏହି ଗସ୍ତ ଠିକ୍ ସେହି ସମୟରେ ହେଉଛି ଯେବେ, ଭାରତ ୨୦୦୯ ପରେ ସବୁଠୁ ମନ୍ଥର ଅଭିବୃଦ୍ଧିହାରର ସମ୍ମୁଖୀନ ହେଉଛି। ଅନ୍ୟପଟେ ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆମେରିକାରେ ହୋଇଥିବା ହାଉଡି ମୋଦୀ କାର୍ୟ୍ୟକ୍ରମ ପରେ, ଟ୍ରମ୍ପଙ୍କ ଭାରତ ଗସ୍ତ ହେବାକୁ ଯାଉଛି। ହ୍ୟୁଷ୍ଟନରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ମଞ୍ଚରେ ମୋଦୀଙ୍କ ସହ ଟ୍ରମ୍ପ ନଜର ଆସିଥିଲେ। ଉଭୟ ନେତା ପରସ୍ପରକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।

Please follow and like us: