ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ସନ୍ଧ୍ୟାଦର୍ଶନ

STATE

ବାହୁଡା ପୂର୍ବଦିନ ଅର୍ଥାତ ଆଷାଢ ଶୁକ୍ଳ ନବମୀ ତିଥିରେ ପଡେ ସନ୍ଧ୍ୟା ଦର୍ଶନ । ଏହି ଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୂଣ୍ୟ ଫଳ ଲାଭ ହୋଇଥାଏ ବୋଲି ବିଶ୍ଵାସ କରାଯାଏ । ତେବେ ଏହି ଦର୍ଶନ ବେଶୀ ସମୟ ପର୍ଯ୍ୟନ୍ତ କରାଯାଇ ହୁଏନାହିଁ । କାରଣ ପରଦିନ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡା ଯାତ୍ରା ନିମନ୍ତେ ପ୍ରସ୍ତୁତ ହୁଅନ୍ତି । ସେଥିପାଇଁ ଆଜି ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ କରିବା ପରେ ଦର୍ଶନ ବନ୍ଦ ରହିବ ।

ଲକ୍ଷ୍ମୀ ଠାକୁରାଣୀ ରାଗି କରି ଯାଇଛନ୍ତି । ସ୍ଵାମୀଙ୍କ ଉପରେ ଅଭିମାନ କରିଛନ୍ତି । ଆସିଥିଲେ ହେରାପଞ୍ଚମୀ ଦିନ ପ୍ରଭୁଙ୍କୁ ଫେରାଇ ନେବାପାଇଁ । ହେଲେ ପ୍ରଭୁ ମନା କରିଦେଲେ ସେଦିନ ଯିବାପାଇଁ । ଲକ୍ଷ୍ମୀ ଯିବା ପରେ ପ୍ରଭୁ ମନ କଲେ ହଁ ଏଥର ସେ ଫେରିବେ । ପ୍ରାଣପ୍ରିୟା ମହାଲକ୍ଷ୍ମୀ ଅଭିମାନ କରିଛନ୍ତି । ବିବାହ ପରେ ଦୁହିଙ୍କର ମିଲନ ହୋଇନି । ଦେବସ୍ନାନ ପୁର୍ଣିମା ଦିନ ସ୍ନାନ କରି ଅସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ଚାଲିଆସିଲେ ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ନେଇ । ଆଉ ଡେରି କରିବା ଠିକ ହେବ ନାହିଁ । ଆଜ୍ଞାମାଳ ପଠାଇଲେ ୩ ରଥକୁ । କହିଲେ ସାରଥିକୁ, ରଥ ପ୍ରସ୍ତୁତ କର, ଆମେ ଫେରିବୁ ଶ୍ରୀମନ୍ଦିର ।

ଗୁଣ୍ଡିଚା ମନ୍ଦିର ପଡିଯିବ ଫାଙ୍କା । ହେଲେ ଏ ଗୁଣ୍ଡିଚା ମନ୍ଦିରକୁ କାହିଁକି ଆସିଥିଲେ ମହାପ୍ରଭୁ । ନାବାଦିନାତ୍ମକ ଯାତ୍ରା ପାଇଁ କାହିଁକି ବାଛିଳେ ଗୁଣ୍ଡିଚା ମନ୍ଦିରକୁ । କଅଣ ରହିଛି ସମ୍ପର୍କ । ଆସନ୍ତୁ ଜାଣିବା ।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ଵପ୍ନାଦେଶ ଦେଇ ମହାପ୍ରଭୁ ନୀଳମାଧବ ସମୁଦ୍ରରେ ଦାରୁ ରୂପେ ଭାସମାନ ହୋଇଥିଲେ । ରାଜା ଏଠାରେ ଏକ ମନ୍ଦିର ତୋଳି ସେଠାକୁ ଉକ୍ତ ଦାରୁ ଅଣାଇ ବିଗ୍ରହ ଗଠନ କରାଇଥିଲେ ।ଏହି ମନ୍ଦିର ହିଁ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀଙ୍କ ନାମାନୁସାରେ ଗୁଣ୍ଡିଚା ମନ୍ଦିର ନାମରେ ବିଖ୍ୟାତ ।  ପୌରଣିକ କଥାନୁସାରେ ସ୍ଵୟଂ ବିଶ୍ଵକର୍ମା ଉକ୍ତ ଦାରୁରେ ଏହି ମୂର୍ତ୍ତି ଗଢିଥିଲେ । ତା ପରେ ଏହି ମୂର୍ତ୍ତିମାନଙ୍କୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରେଇଥିଲେ । ତେଣୁ ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।  ମହାପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକ ବର ଯାଚିଥିଲେ । କିନ୍ତୁ ଇନ୍ଦ୍ରଦ୍ୟୁମ୍ନ କହିଥିଲେ “ ମୋ ବଂଶରେ କେହି ନରୁହନ୍ତୁ “ । ପ୍ରଭୁ କାରଣ ଜାଣିବାକୁ ଚାହିଁବାରୁ ରାଜା କହିଥିଲେ ଯେ ଏହି ମନ୍ଦିର ଓ ମୂର୍ତ୍ତିକୁ ନେଇ କେହି ଦାବି ମୋ ବଂଶରେ ନକରନ୍ତୁ ଏହି ଉଦ୍ଦେଶ୍ୟରେ ଏପରି ମାଗିଥିଲି । ସେହିପରି ପ୍ରଭୁ ଗୁଣ୍ଡିଚାଙ୍କୁ ବର ମଗନ୍ତେ ଗୁଣ୍ଡିଚା କହିଥିଲେ “ପ୍ରଭୁ ! ଯେହେତୁ ମୋ ବଂଶରେ କେହି ରହିବେନି, ତୁମେ ହିଁ ମୋ ପୁତ୍ର । ତେଣୁ ବର୍ଷକେ ଥରେ ଗୁଣ୍ଡିଚା ମନ୍ଦିରକୁ ଆସିବେ ।“ ଭାବର ଅଧୀନ ଭାବଗ୍ରାହୀ ମହାପ୍ରଭୁ ରାଣୀ ଗୁଣ୍ଡିଚାଙ୍କୁ ଦେଇଥିବା କଥା ରକ୍ଷା କରି ଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରାରେ ଆସନ୍ତି ଓ ଆଡପ ମଣ୍ଡପରେ ଜନ୍ମ ବେଦୀ ଉପରେ ଏକ ସପ୍ତାହ ଲୀଳାଖଳା କରନ୍ତି । ଅନେକ ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା ମନ୍ଦିର କହିଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ ଭୁଲ । ମାଉସୀ ମା ମନ୍ଦିରର ଅବସ୍ଥିତି ବଳଗଣ୍ଡିଠାରେ । ସେଠାରେ ମା ଅର୍ଦ୍ଧାସନୀ  ମାଉସୀ ମା ନାମରେ ବିରାଜିତା । ଗୁଣ୍ଡିଚା ମନ୍ଦିରରୁ ଫେରିବା ବାଟରେ ଶ୍ରୀଜଗନ୍ନାଥ ସେଠାରେ କିଛି ସମୟ ଅଟକି ମାଉସୀ ମାଆଙ୍କଠାରୁ ପ୍ରିୟ ପିଠା ପୋଡପିଠା ସେବନ କରିଥାନ୍ତି ।

Please follow and like us:
error